ଭୁବନେଶ୍ୱର , ବହୁ ସ୍ୱାଧୀନତା ସଂଗ୍ରାମୀଙ୍କର ଉତ୍ସର୍ଗୀକୃତ ସେବା ଓ ତ୍ୟାଗପୂର୍ଣ୍ଣ ବଳିଦାନ ଯୋଗୁ ଁ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲା । ସେହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଂଟିଆ) । ୧୮୫୭ର ଐତିହାସିକ ସିପାହୀ ବିଦ୍ରୋହରେ ସାମିଲ ହୋଇ ବିପ୍ଳବୀ ଚନ୍ଦନ ହଜୁରୀ ଓଡ଼ିଶାର ଗର୍ବ ଓ ଗୌରବକୁ ଜାତୀୟ ସ୍ତରରେ ଉଚ୍ଚତମ ସୋପାନରେ ପହଂଚାଇ ପାରିଥିଲେ । ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ଆହ୍ୱାନରେ ସୁଦୂର ଉତରଭାରତରେ ଇଂରେଜମାନଙ୍କ ବିରୋଧରେ ତାଙ୍କର ଅସାଧାରଣ ବୀରତ୍ୱପୂର୍ଣ୍ଣ ରଣକୌଶଳ ପ୍ରଦର୍ଶନ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ । ଚାଖି ଖୁଂଟିଆ ଏକାଧାରରେ ଜଣେ କବି, ମହାନବିପ୍ଳବୀ, ସମାଜ ସଂସ୍କାରକ ଏବଂ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ପାଇଁ ସେ ସର୍ବଦା ଏ ଜାତିର ପ୍ରାତଃସ୍ମରଣୀୟ ।
ଆଜି ଓଡ଼ିଶାର ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଂଟିଆ)ଙ୍କ ୨୦୦ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚାନ ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କଳ୍ପନାଛକଠାରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ତଥା ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବିଭାଗ ତରଫରୁ ପ୍ରତିମୂର୍ତି ସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଂଟିଆ, ଉପନିର୍ଦ୍ଦେଶକ ବିଶ୍ୱଜିତ୍ ଦାଶ ଓ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।