
ଗଞ୍ଜାମ, କରୋନା ତୃତୀୟ ଲହରରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା କେଉଁଦିନ ଶତକ ପାର୍ କରୁଛି ତ କେଉଁଦିନ ଶତକ ତଳେ ରହୁଛି । ଘରେ ଘରେ ଥଣ୍ଡା କାଶ ବ୍ୟାପୁଥିବା ବେଳେ ଲୋକେ ଟେଷ୍ଟିଂ ନକରିବା ଫଳରେ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇପାରୁନାହିଁ । ଗୁରୁତର ନଥିବା ରୋଗୀ ଡ଼ାକ୍ତରଖାନା ନଆସି ଟେଲିମେଡ଼ିସିନ ସେବା ଉପଲବ୍ଧ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏମକେସିଜି ମେଡ଼ିକାଲରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ଡାକ୍ତରଙ୍କ ସମେତ ୧୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ସୂତ୍ରରୁ ଜଣାପଡିଛି । କରୋନା ସଂକ୍ରମିତ ହେବା ପରେ ଡ଼ାକ୍ତର ଓ କର୍ମଚାରୀ ମାନେ ସଙ୍ଗରୋଧରେ ରହିଥିବା ବେଳେ ଏହାକୁ ନେଇ ମେଡ଼ିକାଲ କର୍ତୃପକ୍ଷ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
ତୃତୀୟ ଲହରରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢିଲେ ଏହା ରୋଗୀସେବାକୁ ପ୍ରଭାବିତ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସଂକ୍ରମିତ ହୋଇଥିବା କିଛି ଡାକ୍ତର ସୁସ୍ଥ ହେବା ପରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏମକେସିଜି ମେଡିକାଲରେ ଓପିଡ଼ି କାର୍ଯ୍ୟକ୍ଷମ ରହିଥିବା ବେଳେ କେବଳ ଜରୁରୀକାଳୀନ ଅପରେସନକୁ ବାଦ୍ ଦେଇ ସାଧାରଣ ଅପରେସନକୁ ବନ୍ଦ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୋଭିଡ଼୍ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରଖାଯାଇଥିବା ବେଳେ ହସ୍ପିଟାଲରେ ସେତେ ମାତ୍ରାରେ ରୋଗୀ ଭର୍ତି ହେଉନଥିବା ଜଣାପଡିଛି । ଏମକେସିଜି ମେଡ଼ିକାଲ ପରିସରରେ ଥିବା ଡେଡିକେଟେଡ୍ କୋଭିଡ଼୍ ହସ୍ପିଟାଲରେ ବର୍ତମାନ ୩୪ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଦୁଇ ଦିନ ପୂର୍ବରୁ ଏହି ସଂଖ୍ୟା ୪୭ ଥିଲା । ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ପ୍ରଶାସନ ପକ୍ଷରୁ ମାସ୍କ ପରିଧାନ, ଭିଡ଼କୁ ଏଡାଇବା, ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ବଜାରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି ।