କନ୍ଧମାଳ, ଶିକ୍ଷା ଓ ବିଜ୍ଞାନ ମାଧ୍ୟମରେ କନ୍ଧମାଳର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିବା ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ ଆଜି ଭୋର୍ ୩ଟା ୩୮ ମିନଟ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ବଡ଼ ପୁଅ ବିନୟ ଏବଂ ବିଜୟ, ବୋହୁ ଓ ଅନ୍ୟାନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଫୁଲବାଣୀର ସବୁଠୁ ପୁରୁଣା ଏଜେଓ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ସାର୍ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଓ ରଚନାତ୍ମକ ଶିକ୍ଷକ ହିସାବରେ ଓ ନିଜର ମାଗଣା ହୋମିଓପାଥି ଚିକିତ୍ସା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ ।
ପ୍ରତି ପିଲାର ରୁଚିକୁ ବୁଝି ତାହାର ରୁଚିଗତ ସର୍ବାଙ୍ଗୀନ ବିକାଶ ପାଇଁ ସେ ପିଲାର ଘର ଓ ସମୁଦାୟ ସହିତ ଯୋଡି ହୋଇ ତା’ର ବିକାଶରେ ସହଯୋଗ ପାଇଁ ଅନବରତ ଚେଷ୍ଟା କରୁଥିଲେ । କନ୍ଧମାଳ ଜିଲ୍ଲାର ୭ରୁ ୮ଟି ଦୁର୍ଗମ ଜାଗାରେ ଶିକ୍ଷକତା କରି ସେ ହଜାର ହଜାର ପିଲା ଓ ତାଙ୍କ ପରିବାରକୁ ସାହାଯ୍ୟ କରିଥିଲେ । ବିଶେଷ କରି, ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ପିଲାଙ୍କ ମନବଳକୁ ତେଜି ସମାନ ମଣିଷ ହିସାବରେ ମୁଣ୍ଡ ଟେକି ଠିଆ କରାଇବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଜି. ଉଦୟଗିରି, ନୂଆଗାଁ ଆଦି ସ୍ଥାନରେ ନାଟକ ଲେଖି, ନିର୍ଦ୍ଦେଶନା ଦେଇ ସେ ପ୍ରତିଷ୍ଠିତ ଅଭିନେତାଙ୍କ ଦ୍ବାରା ନାଟକ ମଞ୍ଚସ୍ଥ କରାଇଥିଲେ ଓ ଅବହେଳିତ ବିଦ୍ୟାଳୟଗୁଡିକୁ ନୂଆରେ ଠିଆ କରାଇଥିଲେ । ଜଣେ ଦକ୍ଷ ପ୍ରଶାସକ, ପ୍ରଗତିଶୀଳ ଓ ଛାତ୍ରବତ୍ସଳ ଶିକ୍ଷକ, ନିଷ୍ଠାପର ଓ ସଚ୍ଚୋଟ କର୍ମଚାରୀ ରୂପେ ବିପ୍ର ସାର ଏକ ଉଦାହରଣ ରହି ଆସିଛନ୍ତି । ଫୁଲବାଣୀରେ ଶିକ୍ଷା, ସଂସ୍କୃତି, ବିଜ୍ଞାନ, ସାହିତ୍ୟ, ଖେଳ, ଆଧ୍ୟାତ୍ମିକ ବିକାଶରେ ନିରନ୍ତର ନେତୃତ୍ବ ଓ ଉଚ୍ଚ ଅବଦାନ ପାଇଁ ବିପ୍ର ସାରଙ୍କର ସୁନାମ ରହିଛି।
ଜଣେ ପୁସ୍ତକପ୍ରେମୀ ଓ ଦରଦୀ ଶିକ୍ଷକ ଭାବରେ ସେ ପିଲାଙ୍କୁ ବହି, ରେଡିଓର ବିବିଧ ଦିଗ ସହିତ ପରିଚିତ କରାଇ ଚାଲିଥିଲେ। ଏଥିସହ ବିଦ୍ୟାଳୟକୁ ପ୍ରତ୍ୟେକ ପିଲାର ଶିକ୍ଷଣସ୍ଥଳ ହିସାବରେ ପ୍ରସ୍ତୁତ କରି ରକମ ରକମର କ୍ଳବ୍, ଅଭିଭାବକଙ୍କ ସହ ଚର୍ଚ୍ଚା, ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଉଥିଲେ। ପ୍ରତ୍ୟେକ ପିଲାକୁ ଜୀବନରେ ସଫଳ କରାଇବା ପାଇଁ ସେ ଅନବରତ ଚେଷ୍ଟା ଜାରୀ ରଖିଥିଲେ । ଏଥିପାଇଁ ଅନେକ ସମୟରେ ସେ ଅସୁବିଧାର ସମ୍ମୁଖୀନ ବି ହେଉଥିଲେ। କିନ୍ତୁ ସେ ଏହାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ । ଦେଶବିଦେଶର ଅନେକ ଦରଦୀ, ବିଚାରବନ୍ତ, ଶାନ୍ତିପ୍ରେମୀ ଓ ମାନବିକ ବ୍ୟକ୍ତିତ୍ବଙ୍କ ବିଷୟରେ ନିଜର ଛାତ୍ର ଓ ବନ୍ଧୁମାନଙ୍କୁ ସେ ପରିଚିତ କରାଇ ପୃଥିବୀରେ ସ୍ବର୍ଗଟିଏ ରଚିବାର ସ୍ବପ୍ନ ଦେଖାଇ ଚାଲିଥିଲେ । ଜଣେ ସ୍ବାଭିମାନୀ ଓ ଦରଦୀ ଲେଖକ, କବି, ସମ୍ପାଦକ, ବଳିଷ୍ଠ ବକ୍ତା, ନାଟ୍ୟକାର, ବିଜ୍ଞାନପ୍ରେମୀ ଓ ଚିକିତ୍ସକ ରୂପେ ସେ କନ୍ଧମାଳରେ ଏକ ନୂଆ ଯୁଗର ସୂତ୍ରପାତ କରାଇଥିଲେ । ନିଜର ସିମୀତ ଦରମାର ଏକ ଚଉଠାରେ ସରଳ ଜୀବନଯାପନ କରି ବଳକା ଅର୍ଥକୁ ସେ ସମାଜସେବା, ମାଗଣା ହୋମିଓପାଥି ଚିକିତ୍ସା ଓ ଗରିବ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରୁଥିଲେ ।
ବିପ୍ର ସାର୍ ଜଣେ ଉଚ୍ଚକୋଟୀର ଲେଖକ ଓ ଅନୁବାଦକ ରୂପରେ ଅନେକ ବହି ଲେଖିଛନ୍ତି । ଏହା ମଧ୍ୟରୁ ସଭିଏଁ ଜିଇଁବା, ଜୋନାଥନ ଲିଭିଙ୍ଗଷ୍ଟୋନ୍ ସମୁଦ୍ରପାରା, ଶିକ୍ଷକ, ସବୁ ସମୟରେ ଶିଖିବା, ପିଲାଏ କିପରି ଅସଫଳ ହୁଅନ୍ତି ଅନ୍ୟତମ । ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲାରେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ସେ ନିଜ ଛାତ୍ରମାନଙ୍କ ସହଯୋଗରେ ”ପରଖ” ନାମକ ମାସିକ ପତ୍ରିକା ଚଳାଇଥିଲେ। ତାଙ୍କ ପରିବାରର ସମସ୍ତେ ଏହି କାମରେ ଲାଗି ରହି ଆସିଛନ୍ତି । ସବୁ ଲୋକଙ୍କୁ ସମାନ ନ୍ୟାୟ ମିଳିବା ଲକ୍ଷ୍ୟରେ ସେ ଜିଲ୍ଲାର ସମସ୍ତ ପ୍ରମୁଖ କର୍ମଚାରୀ ସଂଘର ନେତୃତ୍ବ ନେଇ ଅନେକ ବଞ୍ଚିତ ଓ ଅବହେଳିତ ଲୋକଙ୍କ ପାଇଁ ଲଢି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲେ ।
ଗଞ୍ଜାମର କବିସୂର୍ଯ୍ୟ ନଗର ନିକଟସ୍ଥ ପାଇକ ଯମୁନା ଠାରେ ୧୯୩୨ ମସିହାରେ ଜନ୍ମଗ୍ରହଣ କରି ବ୍ରହ୍ମପୁରଠାରେ ସେ ପଢାପଢି କରିଥିଲେ । ଛାତ୍ର ଜୀବନରେ ଗାନ୍ଧୀ, ନେହେରୁ, ଲୋହିଆ, ରାଧାକ୍ରିଷ୍ଣନ, ମଧୁବାବୁ ଆଦିଙ୍କ ସଂସ୍ପର୍ଶରେ ଆସି ଓ ସ୍ଵାଧୀନତା ଆନ୍ଦୋଳନର ପ୍ରଭାବରେ ଶିକ୍ଷା ମାଧ୍ୟମରେ ଅବହେଳିତ ସମାଜରେ ପରିବର୍ତ୍ତନ ପାଇଁ ସେ ଜୀବନ ସାରା ଲାଗି ରହିଥିଲେ ଓ କନ୍ଧମାଳକୁ ନିଜର ପରଖସ୍ଥଳ ବନାଇ ନେଇଥିଲେ । ନିକଟରେ ୯୦ ବର୍ଷ ବୟସରେ ପାଦ ଦେବା ପରେ ଦେଶ ବିଦେଶରେ ସୁନାମ ଆଣିଥିବା ପ୍ରାୟ ୨୦୦ ଉଚ୍ଚ ପ୍ରତିଷ୍ଠିତ ଛାତ୍ରୀ ତାଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇ ବାର୍ତ୍ତାମାନ ପଠାଇଥିଲେ ।
କନ୍ଧମାଳରେ ଶାନ୍ତି ପ୍ରତିଷ୍ଠା ଓ ନିରନ୍ତର ବିକାଶ ଦିଗରେ ପ୍ରାୟ ୬୦ ବର୍ଷ ଧରି ବିପ୍ର ସାର୍ ବିବିଧ କ୍ଷେତ୍ରରେ କାମ କରି ଚାଲିଥିଲେ। ନାମ, ପଦବୀ ଓ ପୁରସ୍କାର ଠାରୁ ସବୁବେଳେ ଦୂରରେ ରହି ଜଣେ ନିରବ, ସକ୍ରିୟ ଓ ଜଣେ ମଣିଷଗଢା ଶିକ୍ଷକ ରୂପେ ହଜାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବାଭିମାନ ଓ ମଣିଷପଣିଆକୁ ତେଜି ଚାଲିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ”ମାନବିକ” ମଞ୍ଚ ଏ ଦିଗରେ ନିରନ୍ତର କାମ କରିଚାଲିଛି।