ସାଲେପୁର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଘୋଷଣା ହେବା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ୨୭ଗୋଟି ପଂଚାୟତରେ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ଟି ପଂଚାୟତରେ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ, ବିଜେପି ଦଳରେ ଉପଯୁକ୍ତ ପ୍ରାର୍ଥୀ ନମିଳିବା ଓ କଂଗ୍ରେସ ଦଳରେ ପ୍ରାର୍ଥୀ ବିକ୍ରି ହୋଇଯିବା ଘଟଣାକୁ କେନ୍ଦ୍ର କରି ଦଳୀୟ ସମର୍ଥିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇପାରୁନାହିଁ । ବିଜେଡି ପକ୍ଷରୁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୭ଟି ପଂଚାୟତରେ ଥିବା ୨୪,୨୬ ଓ ୨୭- ମୋଟ ୩ଟି ଜୋନ୍ରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଟକ ସଦର ନିର୍ବାଚନମଣ୍ଡଳୀର ୧୪ଟି ପଂଚାୟତରେ ଥିବା ୨୫ ଓ ୨୮- ୨ଟି ଜୋନ୍ ରୁ କେବଳ ଗୋଟିଏ ଜୋନ୍ ଘୋଷଣା କରାଯାଇଛି । ଏହି ବ୍ଲକ ର ମୋଟ୍ ୫ଟି ଜୋନ୍ ମଧ୍ୟରୁ ବିଜେଡି ଦଳ ପକ୍ଷରୁ ୨୪ନଂ ଜୋନରେ ବିପ୍ଲବ କାପ, ୨୫ନଂ ଜୋନରେ ଇଂ. ବିଳାସ କୁମାର ଭୋଇ, ୨୬ ନଂ ଜୋନରେ ଜସ୍ମିତା ସେଠୀ ଓ ୨୭ନଂ ଜୋନରେ ଭୂପତି ଭୂଷଣ ଷଣ୍ଢଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୨୮ନଂ ଜୋନ୍ ପାଇଁ ନାମ ଘୋଷଣା କରାଯାଇନଥିବା ଜଣାଯାଇଛି ।
ସେହିପରି ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ଜୋନ୍ ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳୁନଥିବାରୁ ଅଦ୍ୟାବଧି କାହାରି ନାମ ଘୋଷଣା କରାଯାଇନାହିଁ । ଜାତୀୟ ଦଳ କଂଗ୍ରେସ ପକ୍ଷରୁ ମାହାଙ୍ଗା କଂଗ୍ରେସ ନେତା ୩ଟି ଜୋନ୍ ପାଇଁ ପ୍ରାର୍ଥୀ ଚୟନ କରିଥିଲେ ମଧ୍ୟ ନାମାଙ୍କନ ପତ୍ର ର ଶେଷ ଦିନରେ ସେମାନଙ୍କର ନାମ ଘୋଷଣା କରିବେ ବୋଲି ପ୍ରକାଶ କରିଛନ୍ତି । କାରଣ କଂଗ୍ରେସର ପ୍ରାର୍ଥୀ ଆଗୁଆ ଘୋଷଣା ହେବା ପରେ ସେମାନଙ୍କୁ ବିରୋଧି ଦଳର ନେତାମାନେ କ୍ଷମତା ଓ ଅର୍ଥ ବଳରେ ବାଟବଣା କରିଦେଇଥିବାରୁ ନେତା ଏଭଳି ନିଷ୍ପତି ନେଇଛନ୍ତି । ଜିଲ୍ଲା ପରିଷଦ ଛଡା ଏହି ବ୍ଲକର ସରପଂଚ ଓ ସମିତିସଭ୍ୟ ପଦ ଦଳୀୟ ସମର୍ଥନରେ ପ୍ରାର୍ଥୀ ଚୟନ କାର୍ଯ୍ୟ ମଧ୍ୟ ଶେଷ ହୋଇନି । ମାହାଙ୍ଗା ଅଂଶର ୨୭ଟି ପଂଚାୟତ ମଧ୍ୟରୁ ୨୧ଟି ପଂଚାୟତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସରପଡା, ନଗସପୁର, ଶୁକରପଡା, କଟିକଟା ଓ ଅସୁରେଶ୍ୱର ପଂଚାୟତର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବା ଜଣାଯାଇଛି । ସେହିପରି କଟକଦର ଅଂଶ ର ୧୪ଟି ପଂଚାୟତ ମଧ୍ୟରୁ ୯ଟି ପଂଚାୟତରେ ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା ବେଳେ ୫ଟି ପଂଚାୟତରେ ଘୋଷଣା କରାଯାଇନାହିଁ । ଅନୁରୂପ ଭାବେ ବିଜେପି ଦଳ ପକ୍ଷରୁ ପଂଚାୟତ ସ୍ତରରେ ମଧ୍ୟ ମାତ୍ର ୧୦ଟି ପଂଚାୟତରେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଗୁଡିକ ବାକି ରହିଛି । କଂଗ୍ରେସ ପକ୍ଷରୁ ଗୋଟିଏ ହେଲେ ପଂଚାୟତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।