ସାଲେପୁର, କଟକ ଜିଲ୍ଲା ମାହାଙ୍ଗା ବ୍ଲକର ୩୭ଟି ପଂଚାୟତରେ ଚାଷୀମାନେ ଏବେ ମୁଗ ଓ ବିରି ବୁଣିବା ପାଇଁ ବିହନର ଅଭାବ ଯୋଗୁ ଚିନ୍ତାରେ ପଡିଛନ୍ତି । ଗତବର୍ଷ ମୁଗ ଓ ବିରି ଚାଷରୁ ଚାଷୀମାନେ ବିହନ ବି ପାଇ ନଥିଲେ । ବଜାରରେ ମୁଗ ଓ ବିରି ବିହନ ଉପଲବ୍ଧ ହେଉନାହି । ଚାଷୀମାନେ ଧାନ ଉଠାଇବା ପରେ ବିଲ ଚାଷ କଲେଣି । ବିହନ ପାଇଁ ଚାଷୀମାନେ ବାର ଦୁଆର ସୁଣ୍ଢିପିଣ୍ଢା ହେଉଥିଲା ବେଳେ ଏପର୍ଯ୍ୟନ୍ତ ବ୍ଲକ କୃଷି କାର୍ଯ୍ୟାଳୟ ଚାଷୀମାନଙ୍କ ପାଇଁ ଆବଶ୍ୟକୀୟ ମୁଗ ଓ ବିରି ବିହନ ଯୋଗାଇବାରେ ଫେଲ ହୋଇଛି । ସାଧାରଣରେ ଅଭିଯୋଗ ହେଉଛି ଯେ, ବ୍ଲକ କୃଷି କାର୍ଯ୍ୟାଳୟ କାହା ସ୍ୱାର୍ଥରେ କାର୍ଯ୍ୟ କରୁଛି । ଚାଷୀଙ୍କ ଆବଶ୍ୟକ ସମୟରେ ନା ଯୋଗାଇ ଦିଆଯାଉଛି ବିହନ ନା ମିଳୁଛି ପରାମର୍ଶ । କୃଷି କାର୍ଯ୍ୟାଳୟରେ କର୍ମଚାରୀଙ୍କ ମରୁଡ଼ି । ନାହାନ୍ତି ଗ୍ରାମ୍ୟକୃଷି କର୍ମଚାରୀ ଯାହା ଫଳରେ ଚାଷୀମାନଙ୍କୁ ମିଳୁନି ପରାମର୍ଶ । ମାହାଙ୍ଗା ବ୍ଲକରେ ଆତ୍ମା ଏବେ କାଗଜକଲମରେ ଚାଲିଛି । ଚାଷୀ ଜାଣନ୍ତି ନାହିଁ ସରକାର ତାଙ୍କ ପାଇଁ କି କି ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଣୁ ମୁଗ ଓ ବିରି ଚାଷ ପାଇଁ ତୁରନ୍ତ ରାଜ୍ୟ ସରକାର ମାହାଙ୍ଗା ଅଂଚଳର ଚାଷୀମାନଙ୍କ ନିମନ୍ତେ ଉନ୍ନତମାନର ବିହନ ସୁଲଭ ମୂଲ୍ୟରେ ଯୋଗାଇଦେବାକୁ ମାହାଙ୍ଗା ଅଂଚଳର ବୁଦ୍ଧିଜୀବି ମହଲରେ ଦାବି ହେଉଛି ।