କେନ୍ଦ୍ରାପଡ଼ା – କେନ୍ଦ୍ର୍ରୀୟ ଲଘୁ ଉଦ୍ୟୋଗ ଓ ବିଜ୍ଞାନ କାରିଗରୀ ତଥା ସ୍କିଲ ଡେଭଲପମେଣ୍ଟ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେଙ୍କୁ କେନ୍ଦ୍ରାପଡାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଶନିବାର କେନ୍ଦ୍ରମନ୍ତ୍ରୀ ଡ. ପାଣ୍ଡେ ପଟ୍ଟାମୁଣ୍ଡାଇର ପାଣୀ ପାଇପ ତାଲିମ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିନିକିଆ ଗ୍ରସ୍ତରେ ଆସିଥିଲେ । ଏହି ସରକାରୀ ପାଣି ପାଇପ ମିସ୍ତ୍ରୀ ତାଲିମ କେନ୍ଦ୍ରରେ କେନ୍ଦ୍ରୀୟ ଯୋଜନାରେ ଏକ ଲାବୋରେଟାରୀ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଡ. ପାଣ୍ଡେ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ଦିଅଁ ମାନଙ୍କୁ ଦର୍ଶନ କରିବାସହ ଗୋପ ଛକ ସ୍ଥିତ ବିଜେପିର ପୁରୁଣା କାର୍ଯ୍ୟାଳୟ କମଳ ଭବନ ଠାରେ କିଛି ସମୟ ଅତିବାହିତ କରିଥିଲେ । ଏଠାରେ ବହୁ ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ନେତା କେନ୍ଦ୍ର ମନ୍ତ୍ରୀଙ୍କ ସହ ଜିଲ୍ଲାର ବିକାଶ ସମ୍ବନ୍ଧରେ ଆଲୋଚନା କରିବା ସହ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି କେନ୍ଦ୍ରାପଡାକୁ ପ୍ରଥମ ଗ୍ରସ୍ତ ଅବସରରେ ସମ୍ବର୍ଦ୍ଧନା ଦେଇଥିଲେ । ସମ୍ବର୍ଦ୍ଦନାର ଉତ୍ତରରେ ଡ. ପାଣ୍ଡେ କେନ୍ଦ୍ରାପଡାରେ ଥିବା ପ୍ଲମ୍ବର ମିସ୍ତ୍ରୀମାନେ ବିଶ୍ୱରେ ମାର୍ଗ ଦର୍ଶନ କରୁଛନ୍ତି । ଏହାର ବିକାଶ ଓ ସ୍କିଲ ଡେଭଲପମେଣ୍ଟ କରାଇବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୁବନ ମୋହନ ଜେନାଙ୍କ ସମେତ କରୁଣାକର ସାହୁ, ହେମନ୍ତ ପରିଡା, କାନନବାଳା ଦାସ, ଅମୃତ ମହାନ୍ତି, ପ୍ରସନ୍ନ ପରିଡା, ସୁକାନ୍ତ ଦାସ, କାବୁଲା ରାଉତ, ରୀନାରାଣୀ ପରିଡା ଓ ପବିତ୍ର ପରିଡା ପ୍ରମୁଖ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।