ଭୁବନେଶ୍ୱର, ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୃଷ୍ଟପୋଷକତାରେ ଅବାଧ ବାଲି ଚୋରୀ ହେଉଛି । ଏହି କାରଣରୁ ପ୍ରତି ବର୍ଷ ପାଖାପାଖି ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ପ୍ରମୁଖ ସମେତ ରାଜ୍ୟର ପ୍ରମୁଖ ୧୧ଟି ନଦୀରେ ଚୋରା ବାଲି ଚାଲାଣ ବଢିଛି । ନଦୀ ବନ୍ଧ ଗୁଡିକ ଅସୁରକ୍ଷିତ ଓ ଦୁର୍ବଳ ହୋଇପଡୁଛି । ନଦୀ କୂଳରେ ବାସ କରୁଥିବା ଗାଁର ସାଧାରଣ ଲୋକଙ୍କ ଜନଜୀବନ ପ୍ରଭାବିତ ହେଉଛି । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏ ନେଇ ବାରମ୍ବାର ରାଜ୍ୟସରକାରଙ୍କୁ ତାଗିଦ୍ କରିଥିବାବେଳେ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ଏଭଳି ସଂଗୀନ ଅଭିଯୋଗ ନେଇ ସୋମବାର ବିଜେପି ନଦୀ ସୁରକ୍ଷା କମିଟି (ନମାମୀ ଗଙ୍ଗେ) ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ।
ବିଜେପି ନଦୀ ସୁରକ୍ଷା କମିଟି (ନମାମୀ ଗଙ୍ଗେ) ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ସହ ସଂଯୋଜକ ସର୍ବଶ୍ରୀ ହରିହର ବେହେରା, ଶୁଭ୍ରାଂଶୁ ପାଢୀ, ଦିବ୍ୟ କିଶୋର ଭୋଇ, ଅଜୟ କୁମାର ସାହୁ, ମନୋଜ କୁମାର ବେହେରା, ଅଶୋକ କୁମାର ରଥ, ଶ୍ରୀମତି ନନ୍ଦିନୀ ଶତପଥୀ ପ୍ରମୁଖ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଦ୍ୱାରା ସାରା ରାଜ୍ୟରେ ହେଉଥିବା ବାଲି ଚୋରିର ତଦନ୍ତ କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି ।