
ମାଲକାନଗିରି, କିଛି ଦିନର ନୀରବତା ପରେ ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଞ୍ଚଳରେ ମାଓବାଦୀ ମାନେ ସେମାନଙ୍କ ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି । ଗତ ୨ ଦିନ ତଳେ ମାଓବାଦୀ ମାନେ ତୁଳସୀ ପାହାଡ଼କୁ ଲାଗି ରହିଥିବା ଗାଁ ଗୁଡିକରେ ରହିଥିବା ଗ୍ରାମବାସୀଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନେବା ସହ ମୋବାଇଲ ନ ଧରିବାକୁ ଫତୱା ଜାରୀ କରିଥିଲେ । ଏହି ଫତୱା ଜାରୀ କରିବା ପରେ ଆଜି ମାଓବାଦୀ ମାନେ ପ୍ରଜା କୋର୍ଟରେ ଜଣକୁ ହତ୍ୟା କରିଥିବା ଖବର ଶୁଣିବାକୁ ମିଳିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ । ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀ ନିଜ ଗାଁ ଦଳଦଳିରୁ ଡାକିନେଇ ଥିଲେ । ଶୁକ୍ରବାର ଦିନ ନିସ୍ତୁକ ମାଡ଼ ମାରିବା ସହ ଶନିବାର ଦିନ ପ୍ରଜା କୋର୍ଟ କରି ମୃତ୍ୟୁ ଦଣ୍ଡ ଦେଇଥିଲେ । ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜାଳି ଦେଇଥିବା ଜଣାପଡିଛି । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅନୁଧ୍ୟାନ କରୁଛି ।