
ମାଲକାନଗିରି, ମାଲକାନଗିରି ଜିଲାରେ ଶିକ୍ଷାଦାନ ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ଆଦିବାସୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇଥିବା ଶିକ୍ଷକ ନାରାୟଣ ନାୟକ ଅବସର ଗ୍ରହଣ କରିଛନ୍ତି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଆଜି ସେ ରହୁଥିବା ଏମ୍.ଭି.୧୭ , ଶିଖପାଲ୍ଲି ଶିକ୍ଷକ କଲୋନୀର ସମସ୍ତ ଶିକ୍ଷକ ଓ ପରିବାରବର୍ଗ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଭଦ୍ରକ ଜିଲାରୁ ଆରମ୍ଭ କରି ମାଲକାନଗିରି ଜିଲାରେ ଦୀର୍ଘ ୪୦ ବର୍ଷ ବିଭିନ୍ନ ଅଞ୍ଚଳରେ ଶିକ୍ଷକତା କରି ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ସହ ଅନେକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେ ଉଚ୍ଚଶିକ୍ଷା ପାଇଁ ନିଜସ୍ବ ଅର୍ଥ ବ୍ୟୟ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ମାଲକାନଗିରି ଜିଲାରେ ବେଶ୍ ପରିଚିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ କଲୋନୀର ଶତ୍ରୁଘ୍ନ ପାଣିଗ୍ରାହୀ, କମଳଲୋଚନ ରାଉତ, ବିପିନ ପାଣିଗ୍ରାହୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ସେମାନଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ ।