
ଭୁବନେଶ୍ୱର , ତଦନ୍ତ କମିଶନଙ୍କ ୭ମ ପର୍ଯ୍ୟାୟର ସୁପାରିଶରେ ତହସିଲ୍ ଜରିଆରେ ଯାଂଚ ଶେଷ ହୋଇଥିବା ସମସ୍ତ ଜମକାରୀଙ୍କୁ ଏପର୍ଯ୍ୟନ୍ତ ସରକାର ଟଙ୍କା ନ ଦେଇ ଅଳ୍ପ କେତେକ କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ପରେ ବି ବାକି ଟଙ୍କା ସରକାର ଖାଇଗଲେଣି । ଯାଂଚ ସରିଥିବା ସମସ୍ତ ଜମାକାରୀଙ୍କୁ ଅବିଳମ୍ବେ ଟଙ୍କା ଫେରସ୍ତ, ବାକି ସମସ୍ତ ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ ସହ ଟଙ୍କା ଫେରସ୍ତ ଆଦି ଦାବିରେ ସୋମବାର ରାଜ୍ୟବ୍ୟାପୀ ଜିଲ୍ଳା ସ୍ତରରେ “ଡିଜିଟାଲ୍ ଜମାକାରୀ ଗଣସତ୍ୟାଗ୍ରହ” କୋଭିଡ୍ ସତର୍କତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଂଚର ବ୍ୟାନର, ପ୍ଲାକାର୍ଡ ଓ ସ୍ଲୋଗାନ ସହ ଭର୍ଚୁଆଲ୍ ମୋଡରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମଳିତ ମଂଚ ନେତୃତ୍ୱରେ ସତ୍ୟାଗ୍ରହ କରାଯାଇଛି । ସଂକ୍ରମଣ ତଳମୁହାଁ ହେଲେ ସମୂହ ଜମାକାରୀ ଗଣସତ୍ୟାଗ୍ରହରେ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ରି ବସିରହିବେ ବୋଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ସଭାପତି ଜୟନ୍ତ ଦାସ କହିଛନ୍ତି ।
ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି ଜମାକାରୀ ମିଳିତମଂଚ ନେତୃତ୍ୱରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ହେବାରୁ ସରକାର ବିଭିନ୍ନ ପ୍ରକାର ତଦନ୍ତ ଘୋଷଣା କଲେ, ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରି ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଲେ । ତଦନ୍ତ କମିଶନ ୭ଟି ପର୍ଯ୍ୟାୟରେ ୪ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସୁପାରିଶ କରିଥିଲେ । ମାତ୍ର ସେଥିମଧ୍ୟରୁ ସ୍ୱଳ୍ପ କିଛି ଜମାକାରୀଙ୍କୁ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦେଇ ବାକି ଜମାକାରୀଙ୍କୁ ଟଙ୍କା ଫେରାଉନାହାଁନ୍ତି । ସେହିଭଳି ୨୦୧୮-୧୯ ମସିହାରେ ନେଇଥିବା ଲକ୍ଷଲକ୍ଷ ସତ୍ୟପାଠର ଲଫାପା ଖୋଲିବା ପୂର୍ବରୁ ସରକାର ତଦନ୍ତ କମିଶନ ବନ୍ଦ କରିଦେଲେ । ସରକାର ତାଙ୍କ ତହବିଲ୍ରୁ ଟଙ୍କା ଦେଉନାହାନ୍ତି, ଜମାକାରୀଙ୍କ ଜମା ଟଙ୍କାରୁ କମ୍ପାନୀମାନେ କରିଥିବା ବ୍ୟାଙ୍କ ଅ।।କାଉଣ୍ଟ ଜବତ୍ ରୁ ଶହଶହ କୋଟି ଟଙ୍କା, ଶହଶହ କୋଠାବାଡି, ଗାଡ଼ିଘୋଡା ଓ ଶିଳ୍ପ ଜବତ କରି ସେଥିରୁ କିଛି ସମ୍ପତ୍ତି ବିକ୍ରି କରି ନିଜ ପାଖରେ କୋଟି କୋଟି ଟଙ୍କା ରଖିଛନ୍ତି, କିନ୍ତୁ ଜମାକାରୀଙ୍କୁ ଟଙ୍କା ଫେରାଉ ନାହାନ୍ତି । ଶାସକବର୍ଗଙ୍କ ଏହି ଲୁଣ୍ଠନ ବିରୁଦ୍ଧରେ ବ୍ୟାପକ ସତ୍ୟାଗ୍ରହ ମାଧ୍ୟମରେ ଲୋକଲୋଚନକୁ ନେବାପାଇଁ ୫୦ ଲକ୍ଷରୁ ଅଧିକ ଜମାକାରୀ ପରିବାର ସଂକଳ୍ପ ନେଲେଣି ବୋଲି ମଂଚ ପକ୍ଷରୁ କୁହାଯାଇଛି ।