
ଭୁବନେଶ୍ୱର, ପ୍ରସ୍ତାବିତ ଜିନ୍ଦଲ କମ୍ପାନୀର ଇସ୍ପାତ କାରଖାନା ବିରୋଧରେ ନିଜର ଜୀବିକା ପାନବରଜକୁ ରକ୍ଷା କରିବା ପାଇଁ ଆନ୍ଦୋଳନ ଚଳାଇଥିବା ଢିଙ୍କିଆ ଗାଁରୁ ସମ୍ପୂର୍ଣ୍ଣ ରୂପେ ପୋଲିସ ପ୍ରତ୍ୟାହାର ଏବଂ ଦମନ, ଅତ୍ୟାଚାର ଓ ଗିରଫଦାରୀ ବନ୍ଦ କରିବା ଦାବି କରି ସୋମବାର ରାଜଧାନୀ ଭୁବନେଶ୍ୱରରେ ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ଉଭୟ ସଂଗଠନର କର୍ମୀମାନେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ସମଗ୍ର ଅଶୋକନଗର ଅଂଚଳ ପରିକ୍ରମା ପୂର୍ବକ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା ଓ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ବିଜୟ ଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜର ଭିଟାମାଟି ଓ ଜୀବିକାକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ମଣିଷର ଅଧିକାର ଥିବାରୁ ଗ୍ରାମବାସୀ ଅନାହାରରେ ଜଙ୍ଗଲରେ ଲୁଚିବା ଓ ସେମାନଙ୍କ ଗାଁରେ ପୋଲିସ କ୍ୟାମ୍ପ ରହିବା ସମ୍ପୂର୍ଣ୍ଣ ବେଆଇନ ଓ ଦମନଲୀଳା ଅମାନବୀୟ ବୋଲି ମତ ପ୍ରକାଶ କରି ପୋଲିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କ୍ଷେତମୂଲିଆ ନେତା ସର୍ବେଶ୍ୱର ମାର୍ଥା, ଶରତ ସ୍ୱାଇଁ, ଲୋକନାଥ ଭୋଇ, ସୁଷମା ଭୋଇ, ଛେତମ୍ବର ଭୋଇ, ରମେଶ ରାଉତ, ଡାକ ହେମ୍ବ୍ରମ୍, ନାରୀ ନେତ୍ରୀ ପାର୍ବତୀ ଲାଗୁରି ପ୍ରମୁଖ ଏହି ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।