
ନୂଆପଡ଼ା,ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୋମନା ବ୍ଲକ ନୂଆଗାଁ ପଂଚାୟତର ବିଭିନ୍ନ ଗାଁରେ ଅଦିନିଆ ଲଗାଣ ଲଘୁଚାପଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷ ଜମି ବୁଲି ଦେଖିବା ସହ କ୍ଷୟକ୍ଷତିର ସରଜମିନ ତଦନ୍ତ କରିଥିଲେ । ଏହି ବର୍ଷାରେ ଡ଼ାଲି ଜାତୀୟ ଫସଲ ଯଥା ମୁଗ, ଚଣା, ପିଆଜ, ପନିପରିବା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଦିନ ଭଳି ଚାଷଜମିରେ ଆଣ୍ଠୁଏ ଉଚ୍ଚତାରେ ପାଣି ମାଡ଼ି ଯାଇଛି । ଗତ ଖରିଫରେ ଏ ଅଞ୍ଚଳର ଚାଷୀଙ୍କ ମରୁଡ଼ିଜନିତ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀ ରବି ଫସଲରେ କିଛି ଭରଣା କରିବା ଆଶା ରଖିଥିଲେ । କିନ୍ତୁ, ଚାଷୀଙ୍କ ଆଶା ଘୋର ନିରାଶାରେ ପରିଣତ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ କୃଷି ବିଭାଗ, ଉଦ୍ୟାନ ବିଭାଗ, ରାଜସ୍ୱ ବିଭାଗର ପ୍ରତ୍ୟେକ ବ୍ଲକରେ ଟିମ୍ ତିଆରି କରି କ୍ଷୟକ୍ଷତିର ଆକଳନ କରାଯାଉ । ଓଡ଼ିଶା ରିଲିଫ କୋଡ଼ ମୁତାବକ ଚାଷୀକୁ କ୍ଷୟକ୍ଷତି ସହାୟତା ଓ ଇନପୁଟ ସବସିଡ଼ି ପ୍ରଦାନ କରାଯାଉ ବୋଲି ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ଆବାହକ ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ପରିଷଦ ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।