ମାଲକାନଗିରି – ଦୂର ପାହାଡ଼ରୁ ଝାପସା ଝାପସା ଦିଶେ ଆଦିବାସୀର ଗାଁ ୱାଙ୍ଗୀନଗୁଡା । ପାଖେଇ ପାଖେଇ ଗଲେ ଫର୍ଚ୍ଚାଫର୍ଚ୍ଚା ଲାଗେ ଭୋକର ଦୁନିଆ, ଅଭାବ ଓ ଅନାଟନର ଚିତ୍ର ଆସେ ସାମନାକୁ । ଭୋକ ଯେଉଁଠି ଭୂଗୋଳ ପଢାଏ । ଆଉ ଗରିବୀ ଗଣିତ ଶିଖାଏ। ଆଉ ଅଭାବ ଅନାଟନ ଓ ଅନ୍ଧାର ଭିତରେ କେମିତି କାନ୍ଧକୁ ଆଉଜି ଶାନ୍ତିରେ ଶୋଇ ହୁଏ ତାହା ଅହରହ ଶିଖାଏ। ଯେଉଁଠି ଛୋଟ ନଈ ଦେଉଛି ବଡ ଯନ୍ତ୍ରଣା। ଏମିତି ଗୋଟିଏ ଗାଁ ଯେଉଁଠି ଅଣଦେଖା ହେଇ ରହିଯାଉଛି ଲୋକଙ୍କର ସମସ୍ୟା। ଅବହେଳିତ ହୋଇ ରହି ଯାଉଛନ୍ତି ଯେଉଁଠି ଲୋକେ। ପ୍ରତିଦିନ ପ୍ରତ୍ୟେକ ସମୟରେ ଭୋଗୁଛନ୍ତି ଜଳ ଯନ୍ତ୍ରଣା ଓ ନାନା ସମସ୍ୟା । ଏମିତି ଏକ ଅନ୍ଧାରି ମୂଲକ ଅଞ୍ଚଳ ରହିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ୍ ଗ୍ରାମପଞ୍ଚାୟତର ୱାଙ୍ଗୀନଗୁଡା ଗାଁ। ଆଦିବାସୀ ଅଞ୍ଚଳ ର ଦୁର୍ଦ୍ଦଶା ର ଅନେକ ବ୍ୟଥା। ନିଜ ର ଭବିଷ୍ୟର ଗଢିବା ପାଇଁ ଅଣ୍ଟାଏ ପାଣି ରେ ନଦୀ ପାର ହେଉଛନ୍ତି ସ୍କୁଲ ପିଲା, ଗ୍ରାମବାସୀ ଏବଂ ଅଙ୍ଗନୱାଡିରେ ପାଠ ପଢୁଥିବା କୁନି କୁନି ପିଲା । ବହି ବସ୍ତାନି ସହ ନିଜ ସ୍କୁଲ ପିନ୍ଧା ପୋଷକ ଏମିତିକି ଚାଉଳ ବସ୍ତା ହାତରେ ଧରି ସୁଅ କାଟି ଯାଉଛନ୍ତି ପିଲାଏ ଓ ଗ୍ରାମବାସୀ । ନଦୀ ପାରି ହେବା ପରେ ଟିଗେଲ ପହଁଞ୍ଚିଲେ ରହିଛି ବିଦ୍ୟାଳୟ ଯେଉଁଠି କି ଯାଉଛନ୍ତି ପିଲା, ଭରା ନଈରେ ଏମିତି ପିଲାଙ୍କର ପ୍ରତ୍ୟେକ ଦିନ ଚାଲେ ବିପଦଜନକ ଜଳଯାତ୍ରା। ଏ ଦୁର୍ଭାଗ୍ୟଜନକ ଦୃଶ୍ୟ ଆମ ରାଜ୍ୟର ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗେଲ୍ ଗ୍ରାମପଞ୍ଚାୟତ ଅର୍ନ୍ତଗତ ୱାଙ୍ଗୀନଗୁଡା ଗାଁର । ପ୍ରତିଦିନ ନଦୀ ଆର ପଟେ ପାଞ୍ଚ କି.ମି. ଦୂର ବିଦ୍ୟାଳୟକୁ ଯିବା ପାଇଁ ଏମିତି ଜଳଯାତ୍ରା ଓ ଜଳ ଯନ୍ତ୍ରଣା ସହୁଛନ୍ତି ୱାଙ୍ଗୀନଗୁଡାର ପିଲା । ଆଦିବାସୀ ଅଧ୍ୟୁଷିତ ଏମିତି ଅପହଞ୍ଚ ବହୁତ ଗ୍ରାମ ଅଛି ଯେଉଁଠି ରାସ୍ତା ଘାଟ ପାଣି ବିଜୁଳି ସ୍ୱାସ୍ଥ୍ୟ ସେବା ଏକ ଆଇ ମା କାହାଣୀ। ଦୂର ପାହାଡ଼ରେ ପିଟି ହୋଇ ଫେରିଯାଉଥିବା ଏକ ଦୁଃଖର ରାଗିଣି। ବିଜୁଳି ଗୋଟେ ଆସୁ ନ ଥିବା ଅତିଥିର ନାଁ। ଆଦିବାସୀର ଅଭିଧାନରୁ ନିଖୋଜ ହୋଇଥିବା ଏକ ଅଦେଖା ନାଁ। ଡିବିରି ଆଲୁଅ ଏ ଯାଏ ଏମାନଙ୍କର ସାହା ଓ ଭରଷା। ପଥରୁଆ ଜଙ୍ଗଲ ରାସ୍ତା ଏମାନଙ୍କର ଗାଁ କୁ ବାଟ ଫିଟେଇଛି।
ହେଲେ ସେମିତି ଏକ ଇଲାକାରେ ଜନ୍ମ ହୋଇ ରାସ୍ତା ଘାଟ ନଥିବା ଯୋଗୁ ଭରା ନଈ ପାରି ହୋଇ ପାଠ ପଢିବାକୁ ସ୍ଵପ୍ନ ଦେଖେ କଣ ପାଇଁ ? ଜୀବନ ସହ ଯୁଦ୍ଧ କରୁଥିବା ଯନ୍ତ୍ରଣାକୁ ସେମାନେ ଦେଖିଛନ୍ତି । ହଇଜାରେ ହରାଇଛନ୍ତି କୁନି କୁନି ଭାଇ ଭଉଣୀଙ୍କୁ। ଜନନୀ ଯନ୍ତ୍ରଣାରେ ଅତିଷ୍ଠ ପ୍ରସୂତୀ ଯେଉଁଠି ଅାଜି ବି ଖଟିଆରେ ବୁହା ହେଉଥିବାର ଚିତ୍ର ସାମ୍ନାକୁ ଅାସେ । ବୋଧେ ସେଇଥି ପାଇଁ ଜୀବନ୍ ଦେହରେ ଜାବୁଡି ହୋଇଥିବା ଯନ୍ତ୍ରଣାକୁ ତଡ଼ିଦେବାକୁ ସେମାନେ ପ୍ରତିଜ୍ଞା କରି ଭରା ନଦୀ ପାରି ହୋଇ ସ୍କୁଲ ଓ ଅଙ୍ଗନବାଡି ଯିବାକୁ ପଣ କରିଛନ୍ତି ।ପାଠ ପଢି ବଡ଼ ମଣିଷକୁ ହେବାକୁ ପଣ କରିଛନ୍ତି । ହେଲେ ଏହି ନିରୀହ ଆଦିବାସୀ କୁନି କୁନି ଛାତ୍ରଛାତ୍ରୀଙ୍କ ସ୍ଵପ୍ନ କଣ ସତ ହେବ। ଅଳ୍ପ ପାଣିରେ ନଦୀ ପାରି ହେବା ତ ସହଜ କଥା, ହେଲେ ବର୍ଷା ଦିନେ ଭରାନଦୀ ଯୋଗୁଁ ସ୍କୁଲ ଯିବା ସମ୍ଭବ ହୁଏ ନାହିଁ । ପାଠ ପଢ଼ାରେ ଡ଼ୋରି ବନ୍ଧା ହୁଏ । ତାହେଲେ ଏମାନଙ୍କର ସ୍ୱପ୍ନ କଣ ପୂରଣ ହେବ?
କଷ୍ଟ କରି ନଦୀ ପାରି ହେଇ ୱାଙ୍ଗୀନଗୁଡା ଗାଁ ପିଲା ମାନେ ସ୍ୱପ ପଥରେ ସିନା ପାଦ ଥାପି ଦେଲେ ହେଲେ ଆଗକୁ ବଢ଼ି ବାକୁ କିଏ ବଢେଇବ ହାତ।ଏହି ପିଲା ମାନଙ୍କ ଘରେ ଚୁଲି ଦିନରେ ଜଳିଲେ ରାତିରେ ପେଟରେ ଓଦା କନା ପଡ଼େ । ଆଉ ଏତିକି ବେଳେ ଗାଁ ରେ ବିଜୁଳି, ପାନୀୟ ଜଳ ଓ ଶିକ୍ଷା ବ୍ୟବସ୍ଥା ନଥିବା ବେଳେ ଏମାନ ଙ୍କର ସ୍ୱପ୍ନ ସାକାର କରିବାକୁ ଏମାନେ ମଧ୍ୟ ସାହାସ ବାନ୍ଧି ପାରୁ ନାହାନ୍ତି । ତେବେ ରାଜ୍ୟ ସରକାର ଆଦିବାସୀ ଓ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ୟ ଦେଉଥିବା ବେଳେ ବଡ଼ ହୋଇ ଭଲ ମଣିଷ ହେବାର ସ୍ୱପ୍ନ ଦେଖୁଥିବା ପିଲା ମାନଙ୍କ ପାଇଁ ସରକାର ହାତ ନ ବଢେଇବା ବ୍ୟବସ୍ଥାର ବିଡ଼ମ୍ବନା ନୁହେଁ କି ?
Related Stories
November 22, 2024