
ଭୁବନେଶ୍ୱର, ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ନିରୀହ ଲୋକଙ୍କ ଉପରେ ପୋଲିସର ଅମାନୁଷିକ ଲାଠି ପ୍ରହାର ଓ ସେ ଅଂଚଳରେ ଆତଙ୍କ ସୃଷ୍ଟି ଅତ୍ୟନ୍ତ ନିନ୍ଦନୀୟ । ଏହି ଅଭାବନୀୟ ଘଟଣା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହିଁ ଉତର ଦାୟୀ ବୋଲି ସି.ପି.ଆଇ.(ଏମ୍) କହିଛି ।
ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ କହିଛନ୍ତି ଢିଙ୍କିଆରେ ପୁଲିସର ବର୍ବର ଲାଠି ଚାଳନାକୁ ସି.ପି.ଆଇ.(ଏମ୍) ଧିକ୍କାର କରୁଛି । ରାଜ୍ୟ ସରକାରଙ୍କର ଏହି ଜନବିରୋଧୀ, ମାନବତା ବିରୋଧୀ ଏବଂ କର୍ପୋରେଟ୍ ପ୍ରୀତି ମନୋଭାବ ବିରୋଧରେ ରାଜ୍ୟବାସୀ ପ୍ରତିବାଦ କରିବା ପାଇଁ ସି.ପି.ଆଇ.(ଏମ୍) ଆହ୍ୱାନ କରିଛି । ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସାଙ୍ଗକୁ ଲୋକଙ୍କ ଜୀବନ, ଜୀବିକା ଏବଂ ଭିଟାମାଟିକୁ ବିପନ୍ନ କରି ଜିନ୍ଦଲର କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ଏତେ ଜିଦ କାହିଁକି ବୋଲି ସି.ପି.ଆଇ.(ଏମ୍) ପ୍ରଶ୍ନ କରିଛି । ସରକାର ନିଜ ଜିଦ୍ରୁ ଓହରି ଜନସାଧାରଣଙ୍କ ସହ ଆଲୋଚନା କରି ପରିସ୍ଥିତିରେ ସୁଧାର ଆଣିବା ପାଇଁ ସି.ପି.ଆଇ.(ଏମ୍) ଦାବି ଉଠାଇଛି ।
ସିପିଆଇଏମ୍ ଦାବି କରିଛି ପୁଲିସ୍ର ନିର୍ମମ ଲାଠି ଚାଳନାର ତଦନ୍ତ ଉଚ୍ଚନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍.ଆଇ.ଟି) ଦ୍ୱାରା କରାଯାଉ । ଏଭଳି ଜନ ବିରୋଧୀ କାର୍ଯ୍ୟରେ ଅଭିଯୁକ୍ତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ । ସେଠାରୁ ପୋଲିସ୍ ବାହିନୀକୁ ହଟାଇ ନିଆଯାଉ । ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କରାଯାଇ ପୁଲିସ ଦ୍ୱାରା ଭଙ୍ଗା ଯାଇଥିବା ସମସ୍ତ ପାନବରଜର ଉପଯୁକ୍ତ କ୍ଷତିପୂରଣ ରାଶି ଦିଆଯାଉ । ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଏବଂ ମୁରଲି ବେହେରାଙ୍କ ସମେତ ସମସ୍ତଙ୍କୁ ନିସର୍ତ ଖଲାସ କରାଯାଉ । ପୁଲିସ ଲାଠି ଚାଳନା ଦ୍ୱାରା ଆହୂତ ସମସ୍ତ ପୁରୁଷ, ମହିଳା ଏବଂ ଶିଶୁମାନଙ୍କର ଉନ୍ନତ ତଥା ଆଧୁନିକ ଚିକିତ୍ସା କରାଯାଉ । ଏବଂ ଜୀବନ-ଜୀବିକା ବିପନ୍ନକାରୀ, ଏବଂ ପରିବେଶ ଧ୍ୱଂସକାରୀ ଜିନ୍ଦଲ ପ୍ରକଳ୍ପକୁ ଢିଙ୍କିଆରେ କରିବା ପ୍ରସ୍ତାବ ପ୍ରତ୍ୟାହାର କରାଯାଉ ।
ସି.ପି.ଆଇ.(ଏମ୍) ରାଜ୍ୟ ଅଫିସ୍ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ ଏବଂ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।