
ଭୁବନେଶ୍ୱର, ରାଜ୍ୟରେ କରୋନାର ସ୍ଥିତି ଏବେ ଉଦ୍ବେଗଜନକ ରହିଥିବା ବେଳେ ଓଡ଼ିଶା ଲୋକ ସେବା ଆୟୋଗଙ୍କ ପକ୍ଷରୁ ସିଭିଲ୍ ସର୍ଭିସ (ଓସିଏସ୍) ମେନ୍ ପରୀକ୍ଷା ଆୟୋଜନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ।
ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ କହିବାନୁଯାୟୀ, ଜାନୁୟାରୀ ୨୦ ତାରିଖରୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସିଭିଲ୍ ସର୍ଭିସ୍ (ଓସିଏସ୍) ମେନ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଓପିଏସ୍ସି ପକ୍ଷରୁ ଆଡମିଟ୍ କାର୍ଡ଼ ମଧ୍ୟ ବଂଟାଯାଇସାରିଛି । କିନ୍ତୁ ଏଇ ଜାନୁୟାରୀରୁ କରୋନା ସଂକ୍ରମଣର ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଜାନୁୟାରୀ ଶେଷ ଏବଂ ଫେବୃୟାରୀ ବେଳକୁ ଏହା ପିକ୍ରେ ରହିବ । ଓସିଏସ୍ ପରୀକ୍ଷା ରାଜ୍ୟର ୫ଟି ସହରରେ ହେବାକୁ ଥିବାବେଳେ କୋଭିଡ୍ ପାଇଁ ସେଠାରେ ହଷ୍ଟେଲଗୁଡ଼ିକ ବନ୍ଦ ରହିଛି । ତେଣୁ ପିଲାମାନେ କେଉଁଠି ସୁରକ୍ଷିତ ଭାବେ ରହି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ଡ. ସ୍ମୃତି ରଞ୍ଜନ ଲେଙ୍କା । ଦୂର ଦୂରାନ୍ତରୁ ପରୀକ୍ଷା ଦେବାକୁ ଆସୁଥିବା ପ୍ରାର୍ଥୀମାନେ ଏଥିରେ ନିଶ୍ଚୟ ଅସୁବିଧା ଭୋଗିବେ । ଅଫ୍ଲାଇନ୍ ପରୀକ୍ଷା ସମୟରେ ଯଦି କେହି ଛାତ୍ରଛାତ୍ରୀ କୋଭିଡ୍ ସଂକମ୍ରଣର ଶିକାର ହୁଅନ୍ତି, ତେବେ ସେମାନଙ୍କର ପରୀକ୍ଷାରେ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ପିଲାମାନଙ୍କୁ ସୁସ୍ଥ ମାନସିକତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଭିତରେ ପରୀକ୍ଷା ଦେବାର ସୁଯୋଗ ନଦେଇ ରାଜ୍ୟ ସରକାର ସେମାନଙ୍କର ଭବିଷ୍ୟତ ସହ ଖେଳୁଛନ୍ତି ବୋଲି କହିଛନ୍ତି ଶ୍ରୀ ଲେଙ୍କା । ତେଣୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଓ ଭବିଷ୍ୟତର ନିରାପତା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓସିଏସ୍ ମେନ୍ ପରୀକ୍ଷା ସ୍ଥଗିତ ରଖିବା ପାଇଁ ସେ ଦାବି କରିଛନ୍ତି ।