
ଭୁବନେଶ୍ୱର,କଟକ ସହରର ପ୍ରାଚୀନ ଶିଳ୍ପକଳା ଓ ମୂର୍ତି କାରିଗରଙ୍କ ସଂଘର୍ଷମୟ ଜୀବନ କାହାଣୀ ଉପରେ ଆଧାରିତ କଳାତ୍ମକ ଚଳଚ୍ଚିତ୍ର ‘ମାଟିର ବନ୍ଧନ’ର ମୁକ୍ତିଲାଭ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ଦୃଢ ଦାବି କରାଯାଇଛି । ରାଜ୍ୟର ଅନେକ ଯଶସ୍ୱୀ ପ୍ରତିଭାବାନ୍ ଶିଳ୍ପୀ ଓ କଳାକାରମାନଙ୍କ ଅମ୍ଳାନ ସ୍ମୃତି ସହ ଜଡ଼ିତ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ସେମାନଙ୍କ ଆତ୍ମା ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆସୋସିଏସନ୍ ମତବ୍ୟକ୍ତ କରିଛିି ।
ନିକଟରେ ପରଲୋକଗତ ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କ ଅଭିନୀତ ‘ମାଟିର ବନ୍ଧନ’ ମୁକ୍ତିଲାଭ ନକରିପାରି ଶୀତଳ ଭଣ୍ଡାରରେ ପଡିରହିବା ତାଙ୍କ ଜୀବନର ବଡ଼ ଅବସୋସ ହୋଇ ରହିଯାଇଛି । ଏହି ଚଳଚ୍ଚିତ୍ରଟି ତାଙ୍କ ଦ୍ୱାରା ଅଭିନୀତ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ସଫଳତମ କୃତୀ ବୋଲି ସେ ପ୍ରକାଶ କରିଥିଲେ । ଏହାବ୍ୟତୀତ ପ୍ରଖ୍ୟାତ ସାହିତ୍ୟିକ ଓ କବି ଜୟନ୍ତ ମହାପାତ୍ରଙ୍କ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ହିମାଂଶୁ ଖଟୁଆ ନିର୍ଦ୍ଦେଶନା ଦେଇଥିବା ବେଳେ ସାଗିର୍ ଅହମ୍ମଦ ଏହାର ଚିତ୍ରନାଟ୍ୟ ପ୍ରସ୍ତୁତ କରିଥିଲେ । ମିହିର ଦାସଙ୍କ ସମେତ ସୁନାମଧନ୍ୟା କଳାକାର ଅପରାଜିତା, ଅନୁଚୌଧୁରୀ, ହର ରଥ, ହାଡୁ, ଗାର୍ଗି ମହାନ୍ତି, ବିକାଶ ଦାସ, ଜୟ ପ୍ରକାଶ, ସମରେଶ, ପୁଷ୍ପା ପଣ୍ଡା ପ୍ରମୁଖଙ୍କ ନିଖୁଣ ଅଭିନୟ ଏହି କଳାତ୍ମକ ଚଳଚ୍ଚିତ୍ରକୁ ବେଶ୍ ଜୀବନ୍ତ କରି ଗଢି ତୋଳିଥିଲା । ଏଭଳି ଏକ ଉଚ୍ଚକୋଟୀର ଚଳଚ୍ଚିତ୍ର ମୁକ୍ତିର ଆଲୋକ ଦେଖି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ପ୍ରଯୋଜକ ବା ପ୍ରଯୋଜନା ସଂସ୍ଥା ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ଏହି ନିଖୁଣ ଉନ୍ନତମାନର ଚଳଚ୍ଚିତ୍ରଟିକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ସରକାର ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଏକ ଗୁରୁ ଦାୟିତ୍ୱ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ପ୍ରସାଦ ଲ୍ୟାବରେ ପଡ଼ି ରହିଥିବା ‘ମାଟିର ବନ୍ଧନ’ର ରିଲ୍ଟିକୁ ଉଦ୍ଧାର କରି ଡିଜିଟାଲ୍ ପଦ୍ଧତିରେ ମୁକ୍ତିଲାଭର ବ୍ୟବସ୍ଥା କରିବାକୁ ଆସୋସିଏସନ୍ ବୈଠକରେ ଦାବି କରାଯାଇଛି ।
ଏହି ବୈଠକରେ ଅନୁୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ, ସାଂସଦ ଦିଲ୍ଲୀପ ହାଲି, ପ୍ରଯୋଜକ ଲୁଟୁ ମହାନ୍ତି ଓ ଅତିଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।