
ଭୁବନେଶ୍ୱର, ରାଜ୍ୟ କ୍ୟାବିନେଟରେ ସରକାରୀ ଚାକିରୀର ସର୍ବନିମ୍ନ ବୟସସୀମା ବୃଦ୍ଧି ନିଷ୍ପତିକୁ କଂଗ୍ରେସ ସ୍ୱାଗତ କରିଛି । ମାତ୍ର ଉଚ୍ଚନ୍ୟାୟଳୟ ଆଉଟସୋସିଂ ମାଧ୍ୟମରେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବାପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ସରକାରଙ୍କର ଅସଲ ଚେହେରାଟି ଏବେ ପଦାରେ ପଡ଼ିଛି ବୋଲି କଂଗ୍ରେସ କହିଛି । ଯେଉଁଦିନ ସରକାର ଚାକିରୀ ବୟସସୀମା ବଢ଼ାଇବା ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରୁଛନ୍ତି ସେହିଦିନ ସରକାର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶକୁ ଅପିଲ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ତରଫରୁ ପ୍ରମୁଖ ଅର୍ଥ ସଚିବଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଆର୍ଡଭୋକେଟ ଜେନେରାଲଙ୍କୁ ଚିଠି କରାଯାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ରାଜ୍ୟର ବେକାରୀ ଯୁବକ ମାନଙ୍କୁ ନିଯୁକ୍ତିର ମରିଚିକା ଦେଖାଇବା ସହିତ ପଂଚାୟତ ନିର୍ବାଚନ ପାଇଁ ଏକ ନିଯୁକ୍ତି ଥୋପ ପକାଇଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ଯଦି ସରକାରଙ୍କର ନ୍ୟୟପାଳିକା ପ୍ରତି ତିଳେମାତ୍ର ସମ୍ମାନ ଅଛି ଆଉଟସୋର୍ସିଂ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ନଦେଖାଇ ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ରାଜ୍ୟରେ ଆଉଟସୋର୍ସିଂ ମାଧ୍ୟମରେ କାମକରୁଥିବା ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ନିୟମିତ କରାନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।