
ନୂଆପଡା, ନୂଆପଡା ଜିଲ୍ଲା ଆଶା କର୍ମୀ ସଂଘ ତରଫରୁ ସଂଘର ଉପଦେଷ୍ଟା ତଥା ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ଆଶାକର୍ମୀ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ଃ. ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ୧୭ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ତାଙ୍କର ବିଭିନ୍ନ ସମସ୍ୟା ଓ ଦାବୀପତ୍ର ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ପରେ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମାନନୀୟା ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରେରଣ କରାଯାଇଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା ସହିତ ଆଶାକର୍ମିଙ୍କୁ ସରକାରୀ କରିବା, ଆଶାକର୍ମୀଙ୍କ ବେତନ ଭତ୍ତା ଏକୋଇଶ ହଜାର ଟଙ୍କା ଓ ପେନସନ ଅତି କମ୍ ରେ ତିନି ହଜାର ଟଙ୍କା, ଆଶାକର୍ମୀଙ୍କ ପାଇଁ ଇ.ପି.ଏଫ.ଗ୍ରାଚ୍ୟୁଇଟି, ଇ.ଏସ.ଆଇ ଓ ପେନସନ ଲାଗୁ କରିବା, ଆଶାକର୍ମୀ ମାନଙ୍କ ଦୁର୍ଘଟଣା କିମ୍ବା ସାଧାରଣ ମୃତ୍ୟୁରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୁରଣ, ଆଶାକର୍ମୀଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦେଇ କୋଭିଡ ସ୍ୱତନ୍ତ୍ର ଭତ୍ତା ବନ୍ଦ ନ କରିବା, ପ୍ରତ୍ୟେକ ଡାକ୍ତରଖାନାରେ ଆଶା ଗୃହର ବ୍ୟବସ୍ଥା, ରାତ୍ରୀକାଳୀନ ଡ୍ୟୁଟି ପାଇଁ ଆଲାଉନ୍ସ ପ୍ରଦାନ, ଜନନୀ ସୁରକ୍ଷା ଯୋଜନାର ପାଉଣାକୁ ଦୁଇଗୁଣ କରିବା, ବର୍ଷରେ ଦୁଇ ହଳ ପୋଷାକ ପ୍ରଦାନ, ଅନ୍ୟାନ୍ୟ ରାଜ୍ୟ ପରି ଆଶାକର୍ମୀଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା, ଆଶାକର୍ମୀ ମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଦୁର୍ବ୍ୟବହାର କିମ୍ବା ଆତ୍ମ ସମ୍ମାନରେ ଆଞ୍ଚ ଆସିଲା ଭଳି ବ୍ୟବହାର ନ କରିବା ଇତ୍ୟାଦି ସତର ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସରକାର ଓ ପ୍ରଶାସନିକ ଅଧିକାରୀ ଯଥାର୍ଥ ଦାବୀ ଗୁଡିକ ପୂରଣ ପାଇଁ ବିଚାର ଓ ପଦକ୍ଷେପ ନ ନେଲେ ସଂଘ ତରଫରୁ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ମିନାକୁମାରି ମାଝୀ, ଗୀତାଞ୍ଜଳି କୁମ୍ଭାର, ସରସ୍ୱତୀ ମାଝୀ, ଗୀତାଞ୍ଜଳି ତାଣ୍ଡି, ହେମକାନ୍ତି ମାଝି, ପୁଷ୍ପାଞ୍ଜଳି ପଟେଲ, ନିଲାବତୀ ନାୟକ, ସାବିତ୍ରୀ ଦୁରିଆ, ସ୍ନେହସିଲା ଜୈନ, କିଅଫୁଲ ଶୋରୀ, ବିଏମଏସ ସାଧାରଣ ସମ୍ପାଦକ ପ୍ରଦୀପ ଦଣ୍ଡସେନା, ନିଫଟୁ ସଭାପତି ଭକ୍ତବନ୍ଧୁ ଧରୁଆ, ଶ୍ରମିକ ନେତା ଯଯାତି ମେହେର, କୁଞ୍ଜବିହାରି କଟା ପ୍ରମୁଖଙ୍କ ସହିତ ଶତାଧିକ ଆଶାକର୍ମୀ ସାମିଲ ହୋଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରେ ନେତୃତ୍ୱ ନେଉଥିବା ଆଶାକର୍ମୀ ଓ ଶ୍ରମିକ ନେତା ମାନେ ପ୍ରବଳ ବର୍ଷାରେ ମଧ୍ୟ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ନୂଆପଡା ଜିଲ୍ଳା ଆଶା କର୍ମୀ ସଂଘର ଉପଦେଷ୍ଟା ଯଦୁମଣି ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।