ସାଲେପୁର, ଗତ କିଛି ଦିନ ହେଲା ବାରମ୍ବାର ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ଖରିଫ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଯାହାଫଳରେ ବହୁ ଚାଷୀ ଚାଷରେ କ୍ଷତି ଓ ଋଣ ଭାର ଯୋଗୁ ମାନସିକ ଭାରସାମ୍ୟ ହରାଇବସିଥିବାର ନଜିର ରହିଛି । ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ତହସିଲ ଓ ସାଲେପୁର ଥାନା ଅନ୍ତର୍ଭୁକ୍ତ ରାମକୃଷ୍ଣପୁର ପଂଚାୟତ ଦହପଡା(ପାଟପାରୀ) ଗ୍ରାମରେ ଆଜି ଜଣେ ଯୁବ ଚାଷୀ ଧାନ ଫସଲ କ୍ଷତି ଯୋଗୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।
ପ୍ରାପ୍ତ ଖବର ଅନୁଯାୟୀ, ଦହପଡା ଗ୍ରାମର ହେମନ୍ତ ରାଉତଙ୍କ ପୁତ୍ର ରଶ୍ମିକାନ୍ତ ରାଉତ (ଭଜନ) ୨୨ ବର୍ଷ ଗତ କାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରଶ୍ମିକାନ୍ତଙ୍କ ପିତା ହେମନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଗତକାଲି ରାତ୍ରିରେ ପରିବାରର ଲୋକମାନେ ଖାଇପିଇ ଶୋଇଯିବା ପରେ ରଶ୍ମିକାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସେ ସ୍ଥାନୀୟ ଚାଷୀଙ୍କଠାରୁ ପ୍ରାୟ ୪ ଏକରରୁ ଉର୍ଦ୍ଧ୍ବ ଜମି ବାର୍ଷିକ କାଟ ସୂତ୍ରରେ ଆଣି ଚାଷ କରିଥିଲେ । ଏଥିପାଇଁ ସେ ବହୁତ ହାତ ଉଦ୍ଧାରି ଓ କରଜ ଦାମ୍ କରି ଚାଷ କାର୍ଯ୍ୟରେ ଲଗାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପଇସା କିପରି ସୁଝିବେ ସେ ନେଇ ୨/୩ ଦିନ ପୂର୍ବରୁ ରଶ୍ମିକାନ୍ତ ମାନସିକ ଭାରସାମ୍ୟ ହରାଇ ଘରେ ଖାଇବା ପିଇବା ମଧ୍ୟ ସଠିକ୍ ଢଙ୍ଗରେ କରୁନଥିଲା ବେଳେ ହଠାତ୍ ଗତକାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାଲେପୁର ପୋଲିସ ଆଜି ତା. ୧୪.୦୧.୨୦୨୨ ରିଖ ଶୁକ୍ରବାର ଦିନ ଶବ ଜବତ କରି ସାଲେପୁର ଥାନା କେଶ୍ ନଂ ୦୧/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ବଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।