ପୁରୀ, ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ମକର ସଂକ୍ରାନ୍ତି । ଛଅ ମୂର୍ତି ଅଳଙ୍କାରରେ କାଳିଆ ହୋଇଛି ମକର ବେଶ । ମକର ମାସର ପ୍ରଥମ ଦିନରେ ଦୀର୍ଘ ଏକ ମାସ ପରେ ଆଜିଠାରୁ ପତ୍ନୀ ହାତ ରନ୍ଧା ଖାଇବେ କାଳିଆ ଠାକୁର । ମକର ସଂକ୍ରାନ୍ତିର ଏହି ପବିତ୍ର ଦିନରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯାଇଛି । ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇ ମନୋଲଭ ଦିଶୁଛନ୍ତି ଚତୁର୍ଧାମୁରତି । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ସମ୍ପନ୍ନ ହୋଇଛି । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତି ଅଳଙ୍କାର ଲାଗି ହୋଇ ମକରବେଶ ହୋଇଛନ୍ତି ବେନିଭାଇ । ଘଂଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀଙ୍କ ହାତପୈଠ ହୋଇ ରୋଷଘର ଠାରୁ ଶ୍ରୀଛାମୁକୁ ଭୋଗ ଆସିବାର ବିଧି ରହିଆସିଛି । ଭୋଗଟେରା ବନ୍ଧାହେବା ପରେ ସମ୍ପନ୍ନ ହୋଇଛି ଦିଗପାଳ ବଳି ନୀତି । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଟେରା ବନ୍ଧାଯିବାର ମଧ୍ୟ ବିଧି ରହିଆସିଛି । ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇ ରଖାଯାଇଥାଏ । ଏହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି ସୁଦ୍ଦୁ ସୁଆର । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଂଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢିବାର ବିଶେଷ ନୀତି ରହିଛି । ଦୁଧ, ଗୁଡ଼ିଆ ଶାକର ସବୁକୁ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ ଘଂଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଚୋଂପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ ।
ସ୍କନ୍ଦ ପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ, ମହର୍ଷି କଶ୍ୟପ ପୂର୍ବ କଳ୍ପରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ମକର ମହୋତ୍ସବ ପାଳନ କରିଥିଲେ । ନୀତି ସମ୍ପାଦନ ସମୟରେ ଘଂଟ, ଛତା, କାହାଳୀର ମହାର୍ଘ୍ୟ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି । ବିଶେଷ ଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କ ଠାରେ ପ୍ରବଳ ଆଗ୍ରହ ଦେଖାଦିଏ । ମାତ୍ର କରୋନା ମହାମାରୀ ର କଟକଣା ଭିତରେ ବିନା ଭକ୍ତରେ ପାଳିତ ହୋଇଛି ଏହି ପବିତ୍ର ଉତ୍ସବ । ଦୁର୍ଲଭ ମକରବେଶକୁ ମଧ୍ୟ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ‘ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।ଅନ୍ୟପଟରେ ଆଜି ଠାରୁ ପତ୍ନୀ ହାତ ରନ୍ଧା ଖାଇବେ କାଳିଆ ଠାକୁର । ପୌଷ ମାସରେ ବାପଘରକୁ ଯାଇଥିଲେ ମହାଲକ୍ଷ୍ମୀ । ମାଙ୍କ ହାତ ରନ୍ଧା ପହିଲି ଭୋଗ ଖାଇ ଆସୁଥିଲେ ବେନିଭାଇ । ମକର ଭାର ନେଇ ଲକ୍ଷ୍ମୀଙ୍କ ଶ୍ରୀମନ୍ଦିର ଆଗମନ ପରେ ପହିଲି ଭୋଗର ବିଧି ଗତକାଲି ଠାରୁ ସମାପ୍ତ ହୋଇଛି ।