ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବରେ ବଢୁଥିବାରୁ ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ନ ଆସିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ ହସପିଟାଲ କଟକଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସାଧାରଣ ଭାବେ ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ତେଣୁ ହସପିଟାଲରେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ସଟଡାଉନ ଓ ଲକଡାଉନ ଆବଶ୍ୟକ କି ବୋଲି ପ୍ରଶ୍ନରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ୧୦ ହଜାର, ୧୨ ହଜାର ଦୈନିକ ସଂକ୍ରମଣରେ ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ । ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ସରକାର କଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା । ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖାଯାଇଛି । ସର୍ଭେଲାନ୍ସ ଚାଲିଛି, ଟିକାକରଣ ଚାଲିଛି । ଗତ ବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ସରକାର ଉଚିତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।