-
କେନ୍ଦ୍ରାଂଚଳ ଆୟୁକ୍ତଙ୍କ ନିକଟରେ ଅଭିଯୋଗ
ସାଲେପୁର, କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅଂଚଳରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ ଏହାର ତଦନ୍ତ ନକରି ନିରବ ଦ୍ରଷ୍ଟା ସାଜିଥିଲା ବେଳେ ମାହାଙ୍ଗା ବ୍ଲକର ଗୋତରା ପଂଚାୟତର ଗୋତରା ଗ୍ରାମର ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇ ପାଇଖାନା ନିର୍ମାଣ କରିଥିଲେ । ପାଇଖାନା ନିର୍ମାଣ ଅର୍ଥ ଏପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇନଥିଲା । ଦାୟିତ୍ୱରେ ଥିବା ଜି.ଆର.ଏସ୍ ହିତାଧିକାରୀମାନଙ୍କ ଠାରୁ ସମସ୍ତ କାଗଜପତ୍ର ନେଇମଧ୍ୟ ଠିକ୍ ସମୟରେ ବ୍ଲକ୍ କାର୍ଯ୍ୟାଳୟରେ ପଇଠ କରିନଥିବା ପରବର୍ତି ସମୟରେ ଜଣାପଡିଥିଲା । ଏ ସମ୍ପର୍କରେ ମାହାଙ୍ଗା ବିଡିଓଙ୍କୁ ଭେଟି ହିତାଧିକାରୀମାନେ ନିଜର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ନିରୁପାୟ ହୋଇ ପିତାମ୍ବର ମହାନ୍ତି, ସୁକାନ୍ତ କୁମାର ରାଉତ, ଗୌରାଙ୍ଗ ଚନ୍ଦ୍ର ମହାନ୍ତି, କେଶବ ଦାସ, ଅଭିରାମ ସାହୁ, ହାକିମ୍ ଖାଁ, ଇସାନ ମହମ୍ମଦ, ଅସ୍ମା ବିବି, ଇମ୍ରାନ୍ ବିବି, ଏହେସାନ ମହମ୍ମଦ, ଜଗନ୍ନାଥ ପଣ୍ଡା, ରୁକ୍ସାନା ବିବି ପ୍ରମୁଖ ତା ୦୩/୦୧/୨୦୨୨ରିଖରେ କେନ୍ଦ୍ରାଂଚଳ ଆୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କେବଳ ଗୋତରା ପଂଚାୟତ ନୁହେଁ ମାହାଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଏହିଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ହେଉଅଛି ।