ଖୋର୍ଦ୍ଧା, ଦନ୍ତା ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ, ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଫରେଷ୍ଟର ସୌରି କୁମାର ପାତ୍ର (୩୬) ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଞ୍ଜ୍ ଶଙ୍ଖଯୋଡି ସେକସନ୍ ରେ ଫରେଷ୍ଟ ଅଫିସର ଭାବେ କାମ କରୁଥିଲେ । ଗତକାଲି ରାତିରେ ଟାଙ୍ଗୀ ରେଞ୍ଜ୍ ଉଦୁଗିରି ଜଙ୍ଗଲରୁ ହାତୀ ପଲରୁ ଗୋଟିଏ ଦନ୍ତା ପଲ୍ଲ ଛାଡି ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଞ୍ଜ ଉପେନ୍ଦ୍ର ପୁର ଗ୍ରାମ ନିକଟକୁ ପଳାଇ ଯାଇଥିଲା । ଏପରିକି ଦନ୍ତାଟି ଜଣଙ୍କର ବାରି ପଟେ ପଶିଥିଲା । ଖବର ପାଇ ବନ କର୍ମଚାରୀମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା । ତେବେ ଫରେଷ୍ଟର ଜଣକ ଏକୁଟିଆ ପଡି ଯିବାରୁ ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତାଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣାପଡିଛି । ଖବର ପାଇ ଟାଙ୍ଗୀ ବନ୍ୟ ପ୍ରାଣୀ ରେଞ୍ଜ ଅଫିସର ଚୁଡାରାଣୀ ମୁର୍ମୁ ଘଟଣାସ୍ଥଳରେ ପହଂଚି ସୌରି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କର ଛାତି ହାଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।