-
ପଞ୍ଚାୟତ ନିର୍ବାଚନ ସ୍ଥଗିତ କରାଯାଉ- ପ୍ରମୋଦ ମିଶ୍ର
ବଲାଙ୍ଗିର, ରାଜ୍ୟର ପଂଚାୟତ ନିର୍ବାଚନ ସ୍ଥଗିତ କରାଯାଉ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ ଭାବରେ ଓଡିଶା ନିର୍ବାଚନ କମିଶନ ଭୟଙ୍କର କରୋନା କାଳରେ ପଂଚାୟତ ନିର୍ବାଚନ ଘୋଷଣା କରିଛନ୍ତି । ଅବଶ୍ୟ ଦେଶର ନିର୍ବାଚନ କମିଶନ ମଧ୍ୟ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି । କରୋନା କାଳରେ ଏତାଦୃଶ ବିଧାନସଭା ନିର୍ବାଚନ କରିବା ସ୍ମୃହଣୀୟ ନୁହେଁ । ଉକ୍ତ ୫ଟି ରାଜ୍ୟର କାର୍ଯ୍ୟକାଳ ସରିଗଲା ପରେ ସାମ୍ବିଧାନିକ ସଂକଟ ହେବ ବୋଲି ବିଧାନସଭା ନିର୍ବାଚନ ଘୋଷଣା କରାଯାଉଛି । କିନ୍ତୁ, ବିଧାନସଭା ନିର୍ବାଚନ କରି ନ ଥିଲେ ମଧ୍ୟ ସାମ୍ବିଧାନିକ ସଂକଟ ହୋଇନଥାନ୍ତା କାରଣ ସମ୍ବିଧାନରେ ଏଭଳି ସ୍ଥଳେ ପ୍ରଥମେ ଛଅ ମାସ ଓ ପରେ ଛଅ ମାସର ରାଷ୍ଟ୍ରପତି ଶାସନ ଜାରି ହେବାର ବ୍ୟବସ୍ଥା ରହିଛି । ନିର୍ବାଚନ କମିଶନ ଯେତେ କୋଭିଡ୍ କଟକଣା ଜାରି କଲେ ମଧ୍ୟ ପଶ୍ଚିମ ବଙ୍ଗଳା ଭଳି ସ୍ଥିତି ଉକ୍ତ ୫ଗୋଟି ରାଜ୍ୟରେ ହେବା ଅବଶ୍ୟମ୍ଭାଭି ।
ସବୁଠାରୁ ବିସ୍ମୟକର କଥା ହେଲା, ପଂଚାୟତ ନିର୍ବାଚନ ଘୋଷଣା, କାରଣ ବିରୋଧି ଦଳଙ୍କ ଦାବୀ ମତେ ୩/୪ ମାସ ପଂଚାୟତ ନିର୍ବାଚନ ଘୁଞ୍ଚାଇ ଦେଇଥିଲେ କିଛି ଅସୁବିଧା ହୋଇ ନ ଥାନ୍ତା କିମ୍ବା ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇ ନ ଥାନ୍ତା । କୋଭିଡ୍ କଟକଣା ଘୋଷଣା ହୋଇଥିଲେ ମଧ୍ୟ ପଂଚାୟତ ନିର୍ବାଚନରେ ଏହାକୁ କେହି ମାନିବାର ସମ୍ଭାବନା ନାହିଁ । ଏହାଦ୍ୱାରା ନିର୍ବାଚନରେ ଅସାଧୁ ଡକାୟତ ଅର୍ଥ, ମଦ ଓ ଗୁଣ୍ଡାମୀ କାରବାର ଜୋର୍ ସୋର୍ରେ ବଢିବ । ରାଜ୍ୟ ସାରା ପଂଚାୟତ ନିର୍ବାଚନ ହୋଇଥିବା ଦୃଷ୍ଟିରୁ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇ ନପାରେ । ଏହାଛଡା ଏଭଳି ନିର୍ବାଚନ ଯୋଗୁଁ କୋଭିଡ୍-୧୯ର ଭୟାବହତା ପ୍ରତି ଲୋକଙ୍କ ଆଉ ଭ୍ରୁକ୍ଷେପ ରହିବ ନାହିଁ ଓ ନିର୍ବାଚନ ପରେ ପରିସ୍ଥିତି ଅସମ୍ଭାଳ ହୋଇପାରେ । ତେଣୁ ମାନବିକ ଦୃଷ୍ଟି କୋଣରୁ ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରାକୁ ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାର ଘୋଷିତ ପଂଚାୟତ ନିର୍ବାଚନକୁ ଅନ୍ୟୁନ ୬ ମାସ ପାଇଁ ସ୍ଥଗିତ ରଖିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି ।