ମାଲକାନଗିରି, ଗତକାଲି ରାତି ୮ଟା ସମୟରେ ଅଚାନକ ଘୂର୍ଣ୍ଣିଝଡ଼ ହେବା ଫଳରେ ମାଲକାନଗିରି ସଦର ମହକୁମାରେ ଅନେକ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡିବା ଯୋଗୁଁ ସାରା ରାତି ବିଦ୍ୟୁତ ବିଛିନ୍ନ ହୋଇଯାଇଥିଲା । କେବଳ ୨୦ ମିନିଟ ମଧ୍ୟରେ ପ୍ରକୃତିର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ପୂର୍ବରୁ ପାଣି ପାଗ ବିଭାଗ ମାଲକାନଗିରି ଜିଲ୍ଲାରେ ବୃଷ୍ଟିପାତ ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ଗତକାଲି ରାତି ୮ଟା ସମୟରେ ବଜ୍ରପାତ ସହ କଳାହାଣ୍ଡିଆ ମେଘ ଆକାଶରେ ଘୋଟେଇ ଆସିଥିଲା । ହଠାତ୍ ମୂଷଳ ଧାରାରେ ବର୍ଷା ସହ ପବନ କ୍ଷୀପ୍ର ଗତିରେ ପ୍ରବାହିତ ହୋଇଥିଲା । ବଡ ବଡ ବୃକ୍ଷର ଶାଖାଗୁଡିକ ଭାଙ୍ଗି ପଡିବା ସହ ବିଦ୍ୟୁତ ତାର ଉପରେ ପଡିଥିଲା । ବହୁ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଫଳରେ ବିଦ୍ୟୁତ ସଂଯୋଗ ହୋଇ ପାରିନଥିଲା । ସାରା ରାତି ଅନ୍ଧକାରରେ ମାଲକାନଗିରି ସହର ରହିଥିଲା । କୁମୁଟିଗୁଡା, ୧୧୯ କଲୋନୀ, ଡିଏନକେ ସର୍କିଟ ହାଉସ, ଜେଲ୍ ପରିସର, ପିଏଚଡି ରାସ୍ତା, ପିଡବ୍ଲୁଡି କଲୋନୀ ଠାରେ ବୃକ୍ଷ ଉପୁଡି ପଡିଥିବା ଜଣାପଡିଛି । ଘୂର୍ଣ୍ଣି ଝଡ଼ ଯୋଗୁଁ ପଥପ୍ରାନ୍ତ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଯାଇଛି ।