
-
ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ
ବଲାଙ୍ଗିର, ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲା ଖଇରଗୁଡାର ଶୁଲିଆ ପୀଠ । ବଡ ଖଲା ଓ ସାନ ଖଲାରେ ପଡିଲା ହଜାର ହଜାର ସଂଖ୍ୟାରେ ପଶୁ ପକ୍ଷୀଙ୍କ ବଳି । ପରମ୍ପରା ଆଗରେ ହାର ମାନିଲା ଜିଲ୍ଲା ପ୍ରଶାସନ । ତେବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମ୍ପନ୍ନ ହୋଇଛି । ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭା-ଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳି ପଡ଼ିଛି । ତେବେ ଆଜି ଏହି ଉତ୍ସବ ଫିକା ପଡ଼ିଛି । ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା । ଭିନ୍ନ ଏ ଯାତ୍ରାର ନୀତିନିୟମ । ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି । କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ । ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି । ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ । ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା । କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା । ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ । ହେଲେ ଏଥର ଖାମୋସ । କୌଣସି ଗାଁରେ ସଚେତନତା କାର୍ଯ୍ୟକ୍ରମ ହୋଇନାହିଁ । ସୋମବାର ସକାଳୁ ଅସ୍ତ୍ର ପୂଜା ସରିଛି । ମଝି ରାତିରେ ନିଶି ପୂଜା ହୋଇଛି । ବଡ଼ି ଭୋରରୁ ପରମ୍ପରା ଅନୁଯାୟୀ, ଶୁଲିଆ ବୁଢ଼ାକୁ ଆବାହନ କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲଦୁଲି ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଯାଇଥିଲେ କନ୍ଧ ଆଦିବାସୀ । ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କୁ ହାଣି ଚାଲିଥିଲେ ନିୟୋଜିତ ଝାଙ୍କରମାନେ । ଆଧୁନିକ ଯୁଗରେ ଏଭଳି ଏକ ମଧ୍ୟଯୁଗୀୟ ପରମ୍ପରା ଆଜି ବି ପ୍ରତିବର୍ଷ ପାଳିତ ହୋଇଆସୁଛି । ବଳପ୍ରୟୋଗ କରି ବଳି ବନ୍ଦ କରିବା ପାଇଁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ । କିଛିକାଂଶରେ ସଫଳ ବି ହୋଇଥିଲା । ମୁଖ୍ୟ ଶୁଲିଆ ପୀଠ ମୁଖ୍ୟ ପୂଜାସ୍ଥଳୀରେ କିଛି ବର୍ଷ ଧରି ବଳି ବନ୍ଦ ବି ରହିଥିଲା । ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇ ଯାଇଥିଲେ ଆଦିବାସୀ । ଅନ୍ୟ ଖଳା କରି ପରମ୍ପରାକୁ ବଜାୟ ରଖିଥିଲେ । ପ୍ରଶାସନର ବାରଣ ସତ୍ତ୍ବେ ଜୋରଜବରଦସ୍ତ ବଳି ଦେଇଥିଲେ । କିଛି ସଂଗଠନର କର୍ମକର୍ତ୍ତା ଓ ଶୁଲିଆ ପୀଠର ମୁଖ୍ୟପୂଜକ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ, ସୁପ୍ରିମକୋର୍ଟଙ୍କ ମତରେ କାହାରି ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ପରେ ପ୍ରଶାସନ ଓ ପୁଲିସ ଉପସ୍ଥିତ ରହି କେବଳ ଶାନ୍ତି ଶୃଙ୍ଖଳା ରକ୍ଷା ସହ ମୂକ ଦର୍ଶକ ସାଜିଛନ୍ତି ।