
ଭୁବନେଶ୍ୱର, ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ, ଜୟଜବାନ୍ ଓ ଜୟ କିଷାନ୍ ସ୍ଲୋଗାନ୍ର ପ୍ରବକ୍ତା ନୀତିନିଷ୍ଠ ରାଜନୈତିଜ୍ଞ, ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ୫୬ତମ ତିରୋଧାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ, ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ସଭାପତି ଇଂଜିନିୟର ଗିରିଜା ନନ୍ଦନ ମହାନ୍ତି, ସାଧାରଣ ସମ୍ପାଦକ ଆଡ୍ଭୋକେଟ୍ ଅଶୋକ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡକ୍ଟର ମାନଗୋବିନ୍ଦ ସାନ୍ତ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଅଭିରାମ ଜେନା, ବାବୁରାମ ସାହୁ, ବୈକୁଣ୍ଠନାଥ ମିଶ୍ର, ପୂର୍ବତନ କର୍ପୋରେଟର ନରେନ୍ ସାହୁ ଓ ଉମାନାଥ ମିଶ୍ର, ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଶାନ୍ତିଦୂତ ଶାସ୍ତ୍ରୀଜୀ ପିଲାବେଳେ ବାପ ଛେଉଣ୍ଡ ହୋଇ ପ୍ରତିକୂଳ ପରିବେଶଷରେ ଉଚ୍ଚଶିକ୍ଷା ଲାଭ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ କଂଗ୍ରେସ ଦଳରେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହେବାସହ ଦେଶର ସ୍ୱାଧୀନତା ପରେ ଲୋକସଭାକୁ ନିର୍ବାଚିତ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବା ସହ ଜବାହାରଲାଲ୍ ନେହେରୁ୍ଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ସଚ୍ଚୋଟତା ଓ ସାଧୁତା ନିର୍ବାହ କରିବା ଏକ ଉଦାହରଣ ହୋଇ ରହିଆସିଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶାସ୍ତ୍ରୀନଗର ବାସିନ୍ଦାମାନେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଶାସ୍ତ୍ରୀଜୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଡଃ ମାନଗୋବିନ୍ଦ ସାନ୍ତଙ୍କୁ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।