-
ଚିକିତ୍ସା ସେବା ଯୋଗାଇଦେବାକୁ ଡ଼ାକ୍ତରଖାନା ଓ ଆନୁସଙ୍ଗିକ ଭିତିଭୂମି ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ
ଗଞ୍ଜାମ, ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହରର ପାର୍ଦୁଭାବ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ଅନ୍ୟପକ୍ଷରେ ସଂକ୍ରମିତ ମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଡ଼ାକ୍ତରଖାନା ଓ ଆନୁସଙ୍ଗିକ ଭିତିଭୂମି ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ଓ ଦ୍ୱିତୀୟ ଲହରର କାର୍ଯ୍ୟଖସଡ଼ାକୁ ଏଥିପାଇଁ ଅନୁସରଣ କରାଯିବ । ସରକାରୀ ଡ଼ାକ୍ତରଖାନାରେ ସଂକ୍ରମିତଙ୍କୁ ସେବା ମିଳିବ । ସେହିପରି ଟାଟା ହାଇଟେକ୍ ଓ ଅଶ୍ୱିନୀ ହସ୍ପିଟାଲକୁ ପୁଣି ଥରେ କୋଭିଡ଼୍ ହସ୍ପିଟାଲରେ ପରିଣତ କରି କାର୍ଯ୍ୟକ୍ଷମ କରାଯିବ । ବର୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଅକ୍ସିଜେନ ସୁବିଧା ସହ ୯୦ ଟି ଶଯ୍ୟା ସ୍ୱତନ୍ତ୍ର ଯତ୍ନ କେନ୍ଦ୍ରରେ ପ୍ରସ୍ତୁତ ରଖାଯାଇଛି । ଟାଟା ହାଇଟେକ୍ ଓ ଅଶ୍ୱିନୀ ହସ୍ପିଟାଲର ଶଯ୍ୟା ଗୁଡିକରେ ଖୁବ୍ ଶୀଘ୍ର ଅକ୍ସିଜେନ ସୁବିଧା ମିଳିବ । ସେହିପରି ଭଞ୍ଜନଗର, ହିଞ୍ଜିଳି, ଆସିକା ଏବଂ ଛତ୍ରପୁର ଉପଖଣ୍ଡ ଡ଼ାକ୍ତରଖାନାରେ ମଧ୍ୟ ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଜିଲ୍ଲାରେ ଅମ୍ଳଜାନ ଏବଂ ସିଲିଣ୍ଡର ଅଭାବ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ଼୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବିଭିନ୍ନ ସ୍ଥାନରେ ଯାଂଚ୍ ଓ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି ।