ଭୁବନେଶ୍ୱର, ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଅସଙ୍ଗତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆଦିବାସୀ ମାନଙ୍କର ସହଭାଗିତା ପଂଚାୟତ ବ୍ୟବସ୍ଥାରେ ସେମାନଙ୍କର ସମୁଚିତ ପ୍ରତିନିଧିତ୍ୱ ଉପରେ ନିର୍ଭର କରେ । ଏହାକୁ ଅଣଦେଖା କଲେ ଆଦିବାସୀ ମାନଙ୍କର ବିକାଶ ଅସମ୍ଭବ । ରାଜ୍ୟ ସରକାର ଏବଂ ତାଙ୍କର ବିଭାଗୀୟ ଅଫିସରମାନେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି ଯାହାକୁ କଂଗ୍ରେସ ଘୋର ବିରୋଧ କରିଛି । ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କୁ ନ୍ୟାୟୋଚିତ ସଂରକ୍ଷଣର ଅଧିକାର ପାଇଁ ତଥା ଆଦିବାସୀ ମାନଙ୍କର ବିକାଶ ପ୍ରକ୍ରିୟାରେ ଭାଗିଦାରିତା ପାଇଁ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ସହିତ ନ୍ୟାୟିକ ଲଢ଼େଇ ପାଇଁ ପଦକ୍ଷେପ ନେବବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି ।
କଂଗ୍ରେସ ଅଭିଯୋଗ କରିଛି ରାଜ୍ୟରେ ଆଦିବାସୀ ମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି । କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ସମ୍ବିଧାନର ୨୪୩ (ଡ) ଅନୁଯାୟୀ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତିର ଲୋକଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ପାଇଁ ନିର୍ଦ୍ଦେଶ ରହିଛି । ଓଡ଼ିଶା ପଂଚାୟତରାଜ ଆଇନ ୧୯୬୪ (ଧାରା-୧୦) ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ (ଧାରା-୧୬)ରେ ଏହି ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣର ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଆଇନ ମୁତାବକ ସିଡ୍ୟୁଲ ଏରିଆ ବା ଆଦିବାସୀ ଅଧ୍ୟୁସିତ ଅଂଚଳ ଗୁଡ଼ିକରେ ଆଦିବାସୀ ମାନଙ୍କ ପାଇଁ ପଂଚାୟତ ବ୍ୟବସ୍ଥାରେ ସର୍ବନିମ୍ନ ୫୦ଭାଗ ଆସନ ସଂରକ୍ଷଣ କରାଯିବାର ପ୍ରାବଧାନ ରହିଛି । ମାତ୍ର ରାଜ୍ୟରେ ୭ଟି ସିଡ୍ୟୁଲ ଜିଲ୍ଲାରେ ଶତପ୍ରତିଶତ ସଂରପଚ ଓ ସମିତି ଅଧ୍ୟକ୍ଷ ପଦବୀକୁ ସଂରକ୍ଷିତ କରାଯାଇଥିବା ବେଳେ ଅନ୍ୟସ୍ଥାନ ମାନଙ୍କରେ ଆଦିବାସୀ ମାନଙ୍କର ସଂଖ୍ୟା ବହୁଳତା ଥିବା ସତ୍ୱେ ସେଠାରେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ନଦେବା ଗ୍ରହଣୀୟ ନୁହେଁ । ଏହା ଦ୍ୱାରା ଅଣ ସିଡ୍ୟୁଲ ଅଂଚଳରେ ଥିବା ଆଦିବାସୀ ମାନେ ସେମାନଙ୍କର ଅଧିକାରରୁ ବଂଚିତ ହୋଇଛନ୍ତି । ଏହି ଅସଂଗତିକୁ ସରକାର ତୁରନ୍ତ ଦୁରକରିବାକୁ କଂଗ୍ରେସ ଦାବି କରୁଛି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ମଧ୍ୟ ଯୋଗଦେଇଥିଲେ ।