ଭୁବନେଶ୍ୱର ,୨୦୨୦ ଏବଂ ୨୦୨୧ ଶିକ୍ଷାବର୍ଷରେ ଭଦ୍ରକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମଲେଖା କ୍ଷେତ୍ରରେ ସାଂଘାତିକ ଦୁର୍ନୀତି ହୋଇଛି । ଏଥିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପେକ୍ଷା କରାଯାଇଛି ଓ ଭିନ୍ନକ୍ଷମଙ୍କ ପାଇଁ ଉଦିଷ୍ଟ ସିଟ୍କୁ ବିକ୍ରି କରାଯାଇଛି । ଲାଂଚନେଇ କମ୍ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଛି । ଭଦ୍ରକ ଜିଲ୍ଲାର ବିଜେଡ଼ି ନେତା ଓ ବିଜେଡ଼ି ଯୁବ ନେତା ହେଉଛନ୍ତି ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧର ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ।
ସୂଚନା ଅଧିକାର ଆଇନ ବଳରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରକୃତ କି ଜାଲ ମଗାଯାଇଥିଲା । ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ଜାଲ ବୋଲି ସ୍ପଷ୍ଟକରି ଦେଇଛନ୍ତି । ଏହି ନାମଲେଖା ରାକେଟରେ ବିଜେଡ଼ି ଦଳର କର୍ମକର୍ତା ତଥା ଭଦ୍ରକ ବିଜେଡି ବିଧାୟକଙ୍କ ପ୍ରତିନିଧି ଯୁବ ବିଜେଡ଼ିର ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା ରହିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯିଏକି ବିଜୁ ଯୁବଜନତା ଦଳର ସଭାପତି, ତାଙ୍କର ମଧ୍ୟ ଏଥିରେ ସଂପୃକ୍ତି ରହିଛି ।
ସାରା ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶାସକ ଦଳର ନେତାମାନଙ୍କ ମାଧ୍ୟମରେ ଏହି ର୍ୟାକେଟ କାମ କରୁଛି ବୋଲି ଅଭିଯୋଗ ହେଉଛି । ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଏଭଳି ସାଂଘାତିକ ଘଟଣା ଘଟିଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉଚ୍ଚଶିକ୍ଷା ସଚିବଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଦ୍ରକ ଜିଲ୍ଲାପାଳ ସବୁ ଜାଣି ନୀରବ । ଘଟଣାକୁ ଚପାଇ ଦେବାପାଇଁ ଜିଲ୍ଲାପାଳ ଅପଚେଷ୍ଟା କରୁଛନ୍ତି । ଦୁଇ ବିଧାୟକ ଏହି ସିଟ ବିକ୍ରି ଦଲାଲମାନଙ୍କୁ ନିଜ ତତ୍ୱାବଧାନରେ ସୁରକ୍ଷା ଦେଉଛନ୍ତି । ନବୀନ ସରକାର ଚାକିରୀ ବିକୁଥିଲେ, ଏବେ କଲେଜରେ ସିଟ୍ ବିକ୍ରୟ ଘଟଣାରୁ ପ୍ରମାଣିତ ହେଉଛି ଯେ ଏ ସରକାର ଏକ ଛାତ୍ର ବିରୋଧି ସରକାର । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଏଥିରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଭଦ୍ରକ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ, ସଂପୃକ୍ତ ବିଜେଡ଼ି ନେତା, ନାମଲେଖା ଦାୟୀତ୍ୱରେ ଥିବା ମହାବିଦ୍ୟାଳୟର କର୍ତୃପକ୍ଷଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ନୱାଜ ଦାବି କରିଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ୨୪ ଘଂଟା ମଧ୍ୟରେ ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଦୋଷୀଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ନକରନ୍ତି ତେବେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କର ସରକାରୀ ବାସଭବନକୁ ଯାଇ ତାଙ୍କୁ ପ୍ରଶ୍ନ କରିବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀର ସ୍ୱାଗତ କର, ନଳିନୀ କାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ବିଭୁ ପ୍ରସାଦ ଜେନା ଓ ସାଗର ପଟ୍ଟନାୟକ ଉପସ୍ଥିତ ଥିଲେ ।