ପୁରୀ – ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ନଗରୀ । ଭାଟିକାନ୍ ସିଟିପରି ଚକାଚକ୍ ହେବ ସହର । ବିଶ୍ୱ ସ୍ତରୀୟ ହେବ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ । ବିଶ୍ୱ ସ୍ତରୀୟ ହେବ ରଘୁନନ୍ଦନ ଲାଇବ୍ରେରୀ । ବିଶ୍ୱସ୍ତରୀୟ ନାମ ଶୁଣି ଶୁଣି ସହରବାସୀ ହେଲେଣି ଅତିଷ୍ଠ । ସହରବାସୀଙ୍କ ଘରୋଇ ଠାକୁର ହିସାବରେ ଶ୍ରୀମନ୍ଦିର ସହ ସମ୍ପର୍କ ରହିଛି । ଠାକୁରାଣୀଙ୍କ ପାଇଁ ସରପୁଳି ଆଣିବା, ଲଡ଼ୁ ମହାପ୍ରସାଦ ଅଣିଲେ ବିବାହ, ବ୍ରତ ଓ ଶୁଭକାର୍ଯ୍ୟ ପାଇଁ ଗୁଆପକା ବନ୍ଧୁଙ୍କ ନିକଟକୁ ପଠାଯିବ । ବିଭିନ୍ନ କାମରେ ମନ୍ଦିର ସହ ସହରବାସୀଙ୍କ ସମ୍ପର୍କ ରହିଛି । ହେଲେ ସୌନ୍ଦର୍ଯ୍ୟକରଣ ନାମରେ ସହରବାସୀ ଅତିଷ୍ଠ ହେଲେଣି । ମରଚିକୋଟ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଚାଲିକରି ଯିବା କଷ୍ଟ ହେଲାଣି । ଦର୍ଶନ ପାଇଁ ବ୍ୟାରିକେଡ଼ରେ ଭକ୍ତଙ୍କ ଲମ୍ବା ଲାଇନ ଦେଖି ସହରବାସୀ ମନ୍ଦିରକୁ ଯିବାକୁ କୁଣ୍ଠାବୋଧ କଲେଣି । ଭକ୍ତମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଯାଂଚ୍, ଚପଲ ରଖିବା ପାଇଁ ବିଳମ୍ବ ଯୋଗୁଁ ଅତିଷ୍ଠ ହେଲେଣି । ସହରରେ ଚର୍ଚ୍ଚା ହେଉଛି କାହା ପାଇଁ ଏହି ସୌନ୍ଦର୍ଯ୍ୟକରଣ । ଶ୍ରୀମନ୍ଦିର ଚାରିପଟେ ମଠ ମନ୍ଦିର ଥିବାରୁ ଧାର୍ମିକ ବାତାବରଣ ସୃଷ୍ଟି ହେଉଥିଲା । ଏବେ ଖାଲି ଚପଲ ଷ୍ଟାଣ୍ଡ, ଲାଟିନ୍ ଓ ଗାଡ଼ି ପାର୍କିଂ ହେଉଥିବାରୁ ଆଉ ସେହି ପରିବେଶ ନାହିଁ ।
Related Stories
November 24, 2024
November 24, 2024