ଭୁବନେଶ୍ୱର : ଗତ ଜାନୁଆରୀ ୪ ତାରିଖ ରେ ରାଜ୍ୟ ସରକାର ମିଶନାରୀ ଅଫ ଚାରିଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ଙ୍କ ରିଲଫ ପାଣ୍ଠିରୁ ୭୮ଲକ୍ଷ ୬୭ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି I ଯାହା ହିନ୍ଦୁ ବିରୋଧୀ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଦୃଢ ବିଶ୍ୱାସ କରୁଛି I ସରକାରଙ୍କ ଏପରି କାର୍ଯ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ ଦୃଢ ନିନ୍ଦା କରୁଛି I
ବିଶ୍ୱ ହିନ୍ଦୁ ପରିଷଦ ର ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ଆଜି ଏକ ସାମ୍ବାଦିକ ସମିଳନୀ ରେ ଏହି ବିଷୟ ପ୍ରକାଶ କରି କହିଲେ ଯେ- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନେ କରିଥିବାର ଅନେକ ସୂତ୍ର ଉପଲବ୍ଧ ଥିବା ସତ୍ୱେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି I ଏହାର ଏକମାତ୍ର କାରଣ ଈସାଈ ମତାବଲମ୍ବୀ ଙ୍କ ପ୍ରତି ଅନୁକମ୍ପା ଓ ତୁଷ୍ଟିକରଣ I ଓଡିଶାରେ ମିଶନାରୀମାନଙ୍କ ଦ୍ୱାରା ଧାର୍ମୀନ୍ତୀକରଣ ପ୍ରକ୍ରିୟା ଅବାଧ ଭାବରେ ଚାଲୁଅଛି I ଓଡିଶା ବିଧାନ ସଭାରେ ପାରିତ ହୋଇଥିବା ଧାର୍ମୀନ୍ତୀକରଣ ନିରୋଧ ଆଇନୀକୁ ସରକାର ପାଳନ କରିବାରେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି I ଏମିତି ଅନେକ ଘଟଣା ଅଛି ଯାହା ପ୍ରମାଣିତ କରିଛି ଯେ ରାଜ୍ୟ ସରକାର ପ୍ରାୟ (୩ %) ତିନି ପ୍ରତିଶତ ଈସାଈ ପାଇଁ ୯୪% ହିନ୍ଦୁଙ୍କୁ ବାରମ୍ବାର ଆଘାତ ଦେଇ ଚାଲିଛନ୍ତି I ଯାହାର ସଦ୍ୟତମ ଉଦାହରଣ ହେଉଛି, ଓଡିଶା ଭଳି ଏକ ଗରିବ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ଅର୍ଥକୁ ମିଶନାରୀ ମାନଙ୍କ ହାତକୁ ଟେକି ଦିଆଯାଇଛି I
ମିଶନାରୀ ଅଫ ଚାରିଟି ସଂସ୍ଥା ବିରୋଧରେ ଅନେକ ଅପରାଧିକ ମାମଲା ବିଷୟ ଜନମାନସ ରେ ଚର୍ଚ୍ଚା ହେଉଛି I ପିଲା ବିକ୍ରି ଠାରୁ ଆରମ୍ଭ କରି ଧାର୍ମୀନ୍ତୀକରଣ ପର୍ଯ୍ୟନ୍ତ ଅନେକ ଅଭିଯୋଗ ଆସିଛି I ଏଭଳି ଏକ ସଂସ୍ଥାକୁ ଅର୍ଥ ପ୍ରଦାନ କରି ରାଜ୍ୟ ସରକାର ନିଜର ନୈତିକ ଅଧୋପତନର ପରିଚୟ ଦେଇଛନ୍ତି I ଅନ୍ୟ ପକ୍ଷରେ କୋଭିଡ ସମୟରେ ଦୟନୀୟ ଜୀବନ ବିତାଉଥିବା ମନ୍ଦିର ପୂଜକ ମାନଙ୍କୁ ଓଡିଶା ସରକାର କୌଣସି ଅନୁଦାନ ପ୍ରଦାନ କରିନାହାନ୍ତି I ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମଠ ମନ୍ଦିର ପାଇଁ ସରକାର ଙ୍କ ଚିନ୍ତା ନାହିଁ , ସମାଜରେ ବାଳାଶ୍ରମ, ଅନାଥାଶ୍ରମ, ଜରା ନିବାସ ଆଦି ଅନେକ ସଂସ୍ଥା ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠି ରୁ ସେମାନଙ୍କୁ କେବେ ସହଯୋଗର ହାତ ବଢ଼ାଇଛନ୍ତି କି ? ଅଥଚ ମିଶନାରି ମାନଙ୍କୁ ସରକାର ନିଜ ଆଡୁ ଅଜାଚିତ୍ତ ଭାବରେ ଏହି ଅର୍ଥ ପ୍ରଦାନ କରିବା ପକ୍ଷପାତିତା ର ପରିଚୟ ଅଟେ I
ଅନେକ ହିନ୍ଦୁ ସଂସ୍ଥା ମାନଙ୍କ ସହ ଓଡିଶା ସରକାର ପକ୍ଷପାତିତା ବିଚାର କରି ସରକାରୀ ଅନୁଦାନ ବନ୍ଦ କରୁଥିବା ସମୟରେ ମିଶିନାରୀ ସଂସ୍ଥା କୁ ଲକ୍ଷ ଲକ୍ଷ ଟଙ୍କା ମାଗିବା ପୂର୍ବରୁ ପ୍ରଦାନ କରିଦେଲେ, ଏହା ହିନ୍ଦୁ ମାନଙ୍କ ପ୍ରତି ଅପମାନ ନୁହଁ କି? ସରକାରଙ୍କ ଏପରି ହିନ୍ଦୁ ବିରୋଧୀ ସର୍ବପରି ଓଡିଶା ବିରୋଧୀ ମାନସିକତାକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ ବିରୋଧ କରୁଛି I ଓଡିଶା ର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କୁ ଆହ୍ୱାନ କରୁଛି ଯେ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ହେବାକୁ ଥିବା ବୈଚାରିକ ଆନ୍ଦୋଳନ ରେ ସାମିଲ ହୋଇ ଓଡିଶା ର ହିତ ସାଧନ ରେ ସହଯୋଗ କରନ୍ତୁ I ସରକାରଙ୍କୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରନ୍ତୁ ଓ ହିନ୍ଦୁ ବିରୋଧୀ, ଇସାଈ ମାନଙ୍କୁ ପ୍ରୋତ୍ସାହନ ଦେବା ର କାର୍ଯ୍ୟକଳାପ ବିରୋଧ ରେ ବିଶ୍ୱହିନ୍ଦୁ ପରିଷଦ ସମାଜ କୁ ଜାଗ୍ରତ କରିବ I
ଏହି ସାମ୍ବାଦିକ ସମିଳନୀ ରେ ବିଶ୍ୱହିନ୍ଦୁ ପରିଷଦ ର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ସପନ ମୁଖାର୍ଜୀ, ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ ଓ ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଏବଂ ବିଶ୍ୱ ହିନ୍ଦୁ ପରିଷଦ ର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I