କନ୍ଧମାଳ,ଫୁଲବାଣୀ ସଦର ମହକୁମା ସଭାଗୃହ ଠାରେ ଫୁଲବାଣୀ ମୁଖ୍ୟ ଅତିଥି ଭାବେ ଏଡିଏମ ବସନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଓମିକ୍ରନ ମହାମାରୀ ଉପରେ ସରକାରଙ୍କ ନୂତନ ନିୟମ ପ୍ରଣୟନକୁ ଆଧାର କରି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ପୌରପାଳ ଅଧିକାରୀ ବଳଦେବ ବେହେରା, ଫୁଲବାଣୀ ରାଜସ୍ବ ଅଧିକାରୀ ଦିନମଣି ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, ଆପତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଯାନବାହାନ ସଂଘର ସଦସ୍ୟ, ଧର୍ମାନୁଷ୍ଠାନର ସଦସ୍ୟ, ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ବଣିକ ସଂଘର ସଦସ୍ୟ, ଗଣମାଧ୍ୟମ ଏବଂ ଜିଲ୍ଲାର କିଛି ବୁଦ୍ଧିଜୀବୀ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଏ. ଡି. ଏମ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କରୋନା ମହାମାରୀର ନୂତନ ନିୟମ ଉପରେ ବୁଝାଇବା ସହ ଏହି ନିୟମକୁ କିପରି କଡାକଡି ଭାବେ ପାଳନ ହେବ ସେ ସମ୍ପର୍କରେ ଅବଗତ କରିଥିଲେ । ସମ୍ମାନିତ ଅତିଥି ଫୁଲବାଣୀ ଉପ ଜିଲ୍ଲାପାଳ ସମ୍ୟକ ବକ୍ତବ୍ୟରେ କରୋନା ମହାମାରୀ ଓମିକ୍ରୋନ କେତେ ମାରାତ୍ମକ ରୋଗ ସେ ସମ୍ପର୍କରେ ବୁଝାଇବା ସହ ବିଗତ ଦିନରେ କନ୍ଧମାଳ ଜିଲ୍ଲାରେ ଯେଉଁ ପରିମାଣରେ କ୍ଷୟକ୍ଷତି, ଅସୁବିଧା, ସଚେତନ ହୋଇଥିଲା ତାହା ଠାରୁ ଅଧିକରୁ ଅଧିକ କିପରି କନ୍ଧମାଳ ଜିଲ୍ଲାର ଜନସାଧାରଣ ସଚେତନ ହେବା ସହ ସୁରକ୍ଷିତ ହୋଇ ରହିପାରିବେ ସେଥି ପ୍ରତି ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ଏଥିପ୍ରତି ଆମ ସମସ୍ତଙ୍କର ଦାୟିତ୍ୱ ରହିଥିବା କହିଥିଲେ । ଏହି ଓମିକ୍ରନ ମହାମାରୀ କରୋନା ମହାମାରୀ ଠାରୁ ବହୁ ମାରାତ୍ମକ ହୋଇଥିବାରୁ ଆମ କନ୍ଧମାଳ ଜିଲ୍ଲାରେ ଯେପରି କୌଣସି କ୍ଷତି ନ ହୁଏ ସେଥି ପ୍ରତି ନିୟମ କଡ଼ାକଡ଼ି କରାଯାଇ ଜନସାଧାରଣଙ୍କୁ ସଚେତନ, ସୁରକ୍ଷିତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜର ମତାମତ ଦେବା ପାଇଁ ସୁଯୋଗ ଦିଆଯାଇଥିଲା । ଆସନ୍ତା କାଲି ତା ୦୮/୦୧/୨୨ ରାତ୍ର ୮ ଟା ଠାରୁ ନାଇଟ କର୍ଫ୍ୟୁ ଜାରି ହେବା ସହ ଯାନିଯାତ୍ରା, ସଭା ସମିତି, ଶୋଭାଯାତ୍ରା, ବିବାହ, ଶୁଦ୍ଧିକ୍ରିୟା ପ୍ରଭୃତି କାର୍ଯ୍ୟରେ କୋଭିଡ୍ ନିୟମ ଲାଗୁ ହେବା ନେଇ ସୂଚନା ଦେଇଥିଲେ ।