
-
ଦୁଷ୍କର୍ମ ପରେ ହତ୍ୟା ନୁହେଁ ବରଂ ସମ୍ପର୍କୀୟଙ୍କ ଭୁଲ୍ ରୁ ଯୁବତୀଙ୍କ ମୃତ୍ୟୁ ଘଟିଛି- ଜିଲ୍ଲା ଆରକ୍ଷୀ ଅଧିକ୍ଷକ
-
ମାମଲାରେ ୪ ଗିରଫ, ୪ ଫେରାର୍
କୋରାପୁଟ, ବୋରିଗୁମ୍ମା ଚିଲିଗୁଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ନେଇ ସମ୍ପର୍କୀୟ କରିଥିବା ଅଭିଯୋଗରେ ଆସିଛି ଟ୍ୱିଷ୍ଟ । ଦୁଷ୍କର୍ମ ପରେ ହତ୍ୟା ନୁହେଁ ବରଂ ସମ୍ପର୍କୀୟଙ୍କ ଭୁଲ୍ ରୁ ଯୁବତୀଙ୍କ ମୃତ୍ୟୁ ଘଟିଛି । ଯୁବତୀଙ୍କ ମୃତ୍ୟୁ ସମ୍ପର୍କରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।
ଏନେଇ ଅଧିକ ସୂଚନା ଦେଇ ଏସପି କହିଛନ୍ତି ଯେ, ଜଙ୍ଗଲରେ ବାରହା ଶିକାର ପାଇଁ ଯୁବତୀଙ୍କ ସମ୍ପର୍କୀୟ ବିଦ୍ୟୁତ ତାର ବିଛାଇଥିଲେ । ବାରହା ଶିକାର ପାଇଁ ବିଛାଯାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ଘଟିଛି । ନିଜର ଦୋଷ ଲୁଚାଇବାକୁ ଯାଇ ସମ୍ପର୍କୀୟ ଘଟଣାସ୍ଥଳରୁ ମୃତଦେହ ନେଇ ନାଟକ ରଚିଛନ୍ତି । ସମ୍ପୂର୍ଣ୍ଣ ଘଟଣା ଜଣାପଡିବା ପରେ ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଘଟଣାରେ ଜଡ଼ିତ ଅନ୍ୟ ୪ ଜଣ ଫେରାର୍ ଅଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଯୁବତୀଙ୍କ ଜଣେ ନାବାଳକ ଭାଇ ଓ ଜଣେ ସମ୍ପର୍କୀୟ ଭାଇ ରହିଛନ୍ତି ।