ଭୁବନେଶ୍ୱର, କରୋନା ଡରରେ ଭୁବନେଶ୍ୱର ବିମାନ ବନ୍ଦରରେ କମିଛି ଯାତ୍ରୀ ସଂଖ୍ୟା । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀସଂଖ୍ୟା ପ୍ରାୟ ୫୦ ପ୍ରତିଶତ କମିଛି ବୋଲି ଏହାର ନିର୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି ଆସିଛି ।
ସେ କହିଛନ୍ତି ଓମିକ୍ରନକୁ ନେଇ ବିମାନବନ୍ଦରଠାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯାଉଛି । ଯାତ୍ରୀଙ୍କ ଆର ଟି ପି ସି ଆର ପରୀକ୍ଷା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିମାନ ଦ୍ୱାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର ବାଧ୍ୟତାମୂଳକ ରହିଛି । ଯେଉଁ ଯାତ୍ରୀ ୭୨ ଘଂଟା ମଧ୍ୟରେ ପରୀକ୍ଷା କରିଛନ୍ତି ତାଙ୍କ ପାଇଁ ଆର ଟି ପି ସି ଆର ବାଧ୍ୟତାମୂଳକ ନୁହେଁ ।
ଦୈନିକ ବିମାନବନ୍ଦରରେ ୭୬ଟି ବିମାନ ଯିବା ଆସିବା କରୁଛି । ଏପଟେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସିଧାସଳଖ ନଥିବା ବେଲେ କେବଳ ଘରୋଇ ଫ୍ଲାଇଟ ଚଳାଚଳ ହେଉଛି । ବିମାନବନ୍ଦରରେ ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଉଛି । ଥର୍ମାଲ ସ୍କ୍ରିନିଂ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।