ଭୁବନେଶ୍ୱର, କରୋନା ସଂକ୍ରମଣ କାୟା ବିସ୍ତାର କରୁଥିବା ବେଳେ ପଂଚାୟତ ନିର୍ବାଚନ କିଭଳି ସୁରକ୍ଷିତ ଭାବେ ଆୟୋଜିତ ହୋଇପାରିବ ସେନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ଟିକାକରଣ ଓ କୋଭିଡ ମୁକାବିଲା ଲାଗି ସରକାର କି କି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର ।
ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ବୈଠକରେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା, ଟେଷ୍ଟିଙ୍ଗ ଓ ବୁଷ୍ଟର୍ ଡୋଜ ସମ୍ପର୍କରେ ଆଲୋଚନା ହୋଇଛି । ରାଜ୍ୟର ସମ୍ଭାବ୍ୟ କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ବି ଆଗାମୀ ଦିନରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଆଜିର ବୈଠକ ପରେ ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତି ନେବେ ବୋଲି ସେ ସୂଚନା ଦେଇଛନ୍ତି ।ବୈଠକ ପରେ ନିର୍ବାଚନ କମିଶନର ଶ୍ରୀ ପାଢୀ କହିଛନ୍ତି ଯେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର, ନିର୍ବାଚନ ପ୍ରଚାର ଓ ଭୋଟ୍ ଗଣତି ସମୟରେ ହେବାକୁ ଥିବା ଭିଡକୁ ନିୟନ୍ତ୍ରଣ କରିବାପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେସମ୍ପର୍କରେ ଆଲୋଚନା କରାଯାଇଥିଲା । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତିରେ କରୋନାର ଦ୍ୱିତୀୟ ଡୋଜ୍ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ନିର୍ବାଚନ କମିଶନରଙ୍କ ସଚିବ ରବିନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର ଆୟାର ଓ ଉପସଚିବ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।