ଘସିପୁରା, ମାତ୍ରାଧିକ ବାଲିଖନନ ଯୋଗୁ ସମ୍ପ୍ରତି ବିପଦସଙ୍କୁଳ ଅବସ୍ଥାରେ ପହଂଚିଛି ଦେଓଗାଁ କୁଶଳେଶ୍ଵର ରାଜାରାଜୁଡ଼ା ଅମଳର ପଥର ବନ୍ଧ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଥିବା କୁଶେଇ ନଦୀରୁ ପର୍ଯ୍ୟାପ୍ତ ପରିମାଣରେ ବାଲି ଖନନ ଯୋଗୁଁ ଐତିହ୍ୟସମ୍ପନ୍ନ ପଥର ବନ୍ଧ ସମ୍ପୂର୍ଣ୍ଣ ଭୁଷୁଡି ପଡିବା ପରିସ୍ଥିତିରେ ପହଂଚିଛି ।ଏପରି ମାତ୍ରାଧିକ ବାଲି ଖନନକୁ ବିରୋଧ କରି ସ୍ଥାନୀୟ ନାଗରିକ ଓ ବୁଦ୍ଧିଜିବୀ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏଯାବତ୍ ଏ ଦିଗରେ କୋୖଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଦେଓଗାଁ ଠାରେ ସ୍ଥାପିତ ସର୍ବପୁରାତନ ଶ୍ରୀ କୁଶଳେଶ୍ୱର ଶୈବପିଠକୁ କୁଶେଇ ନଦୀର ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ କେନ୍ଦୁଝରର ତତ୍କାଳୀନ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ୧୮୬୧ ମସିହାରେ କୁଶେଇ ନଦୀକୂଳରେ ଏହି ପଥର ବନ୍ଧ ନିର୍ମାଣ କରିଥିଲେ । ଏହି ପଥର ବନ୍ଧର ଦୈର୍ଘ୍ୟ ପ୍ରାୟ ୩ ଶହ ମିଟର ହୋଇଥିବା ବେଳେ ଓସାର ୨ ମିଟର । ପ୍ରଶାସନ ର ଅଣଦେଖା ଯୋଗୁଁ ବନ୍ଧର ଅନେକ ଅଂଶ ଜବରଦଖଲ ହୋଇ ଯାଇଥିବା ବେଳେ ବହୁ ତଳ ସ୍ତର ପର୍ଯ୍ୟନ୍ତ ବାଲି ଖନନ କରାଯାଇଥିବାରୁ ପଥର ବନ୍ଧରେ ଫାଟ ସୃଷ୍ଟି ହୋଇ ଭୁଶୁଡି ପଡିବାର ଆଶଙ୍କା ଦେଖାଦେଇଛି । ଦୈନଦିନ ଶତାଧିକ ଭାରିଯାନ ଯୋଗେ ବାଲି ଚାଲାଣ ଯୋଗୁ ବନ୍ଧର ମୂଳଦୁଆ ଦବିଯାଇ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କୁଶେଇ ନଦୀର ବିଭିନ୍ନ ଘାଟରୁ ପ୍ରତିଦିନ ହାଇୱା ଯୋଗେ ଜିଲା ବାହର ଅଞ୍ଚଳକୁ ବାଲି ଚାଲାଣ ହେଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ନିଲାମ ହୋଇନଥିବା କୁଶେଇ ନଦୀର କେତେକ ଘାଟରୁ ମାଫିଆ ମାନେ ଦିନରାତି ବାଲି ପରିବହନ କରୁଥିବାରୁ ସରକାର ଅମାପ ରାଜସ୍ୱ ହରାଉଥିବା ଅଭିଯୋଗ ହୋଇଛି ।
ରାଜ୍ୟ ବାହାରକୁ ଶହ ଶହ ସଂଖ୍ୟାରେ ହାଇୱା ଯୋଗେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଦିନରେ ଅଞ୍ଚଳ ବାସୀଙ୍କ ନଜର ଓ ପ୍ରଶାସନିକ ଅଧିକାରୀଙ୍କ ଚଳପ୍ରଚଳ ଯୋଗୁଁ ଏହି କାରବାର ସଞ୍ଜ ନଇଁଲେ ରାତି ସାରା ବେଧଡକ ଭାବରେ ଚାଲୁଛି । କୁଶେଇ ନଦୀର ଦେଓଗାଁ ଶନିତୋଟା ଘାଟରୁ ଉଠାଯାଉଥିବା ବାଲି ପରିମାଣ କମିଯିବାରୁ ବର୍ତ୍ତମାନ କୁଶେଇ ସେତୁ ନିକଟରୁ ଏହା ଖନନ ହେଉଥିବା ଚିନ୍ତାର କାରଣ ହୋଇଛି । କୁଶେଇ ସେତୁର ୫ ଶହ ମିଟର ପର୍ଯ୍ୟନ୍ତ ନିଷିଧାଞ୍ଚଳ ହୋଇଥିଲେ ମଧ୍ୟ ମାତ୍ର ଶହେ ମିଟର ପରିସରରେ ଏପରି କାରବାର ଚାଲିଥିବାରୁ କୁଶେଇ ସେତୁ ଓ କୁଶଳେଶ୍ଵର ରାଜାରାଜୁଡ଼ା ଅମଳର ପଥର ବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଜଣାପଡ଼ିଛି । ତେଣୁ ବେଳ ଥାଉଁ ପ୍ରଶାସନ ଏହାର ସୁରକ୍ଷା ଦିଗରେ ଅ।ବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।