ସମ୍ବଲପୁର, ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟ । ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ । ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ମୋଟ୍ କେତେ ସଂଖ୍ୟକ ବହିରାଗତ ପକ୍ଷୀ ଆସିଛନ୍ତି ସେନେଇ ବନବିଭାଗ ପକ୍ଷରୁ ମୋଟ୍ ୩୦ଟି ବୋଟରେ ୩୮ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି ।
ସୂଚନାଯୋଗ୍ୟ, ଛତିଶଗଡ଼- ଓଡ଼ିଶା ଜଳଭଣ୍ଡାର ସୀମାବର୍ତ୍ତୀ ୫୩୩ ସ୍କୋୟାର କିଲୋମିଟର ସମେତ ଜଳଭଣ୍ଡାରର ଅତିରିକ୍ତ ୩୮ ସ୍କୋୟାର କିଲୋମିଟର ଅଞ୍ଚଳରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ୍ ଅଞ୍ଚଳକୁ ୧୫ ଟି ସେକ୍ଟରରେ ବିଭାଜିତ କରାଯାଇ ସମସ୍ତ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ଚଳିତ ବର୍ଷ ମୋଟ୍ କେତେ ସଂଖ୍ୟକ ପକ୍ଷୀ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ଆସିଥିଲେ ସେ ସମ୍ପର୍କରେ ଆଗାମୀ ୯ ତାରିଖରେ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ସମ୍ବଲପୁର ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।