ଭୁବନେଶ୍ୱର, ସବୁଜ ପତ୍ରିକାଧାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଶୁକ୍ରବାର ଏଆଇଟିୟୁସି ସହ ଅନୁବନ୍ଧିତ ନିଖିଳ ଓଡ଼ିଶା ସବୁଜ ପତ୍ରିକାଧାରୀ ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ସବୁଜପତ୍ରିକାଧାରୀମାନଙ୍କର ଏକ ଶୋଭାଯାତ୍ରାରେ ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ବାହାରି ରାଜମହଲ ଛକ ପରିକ୍ରମା କରି ନବୀନ ନିବାସ ଆରଡକୁ ଅଗ୍ରସର ହେଉଥିବା ବେଳେ ଅଧା ରାସ୍ତାରେ ପୋଲିସ ଆନ୍ଦୋଳନକାରୀମାନଙ୍କୁ ଅଟକାଇଥିଲେ । ସେଠାରେ ସବୁଜପତ୍ରିକାଧାରୀମାନେ ବିକ୍ଷୋଭ କରିବା ସହିତ ସଂଘର ରାଜ୍ୟ ସଭାପତି ସୁର ଜେନା ଉଦ୍ବୋଧନ ଦେଇ କ୍ରମାଗତ ଆନ୍ଦୋଳନ ଫଳରେ ସବୁଜପତ୍ରିକାଧାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ସତ୍ୱେ ଏ ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇ ନ ପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ । ପରେ ସୁର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ସବୁଜପତ୍ରିକାଧାରୀଙ୍କୁ ମାସିକ ପେନସନ, ପରିଚୟପତ୍ର ପ୍ରଦାନ, ମୋ କୁଡ଼ିଆ ମୋ ଡିହ, ମଧୁବାବୁ ପେନସନ ଓ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା, ସରକାରୀ-ବେସରକାରୀ ନିଯୁକ୍ତି ଓ ଶିକ୍ଷାନୁଷ୍ଠାନରେ ୧୦ ଭାଗ ସ୍ଥାନ ସଂରକ୍ଷଣ, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ନିଃସନ୍ତାନମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଓ ସରକାରୀ କର୍ମଚାରୀଙ୍କୁ ୨ଟି ଇନ୍କ୍ରିମେଂଟର ଅର୍ଥ ପ୍ରଦାନ ପ୍ରଭୃତି ୧୧ ଦଫା ଦାବି ରହିଛି ।
ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ସଂଘର ନେତା ସର୍ବେଶ୍ୱର ମାର୍ଥା, ନିର୍ମଳା ନାୟକଓ ମନମୋହନ ନାୟକ ପ୍ରମୁଖ ଏହି ବିକ୍ଷୋଭ ଓ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।