
-
ମେଡିକାଲ ଓ ନର୍ସିଂ କଲେଜ ଖୋଲା ରହିବ
ଭୁବନେଶ୍ୱର, ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଗୁଡ଼ିକ ଖୋଲା ରହିବ । ସେହିପରି କଲେଜ ଓ ୟୁନିଭର୍ସିଟି ହଷ୍ଟେଲ ଗୁଡିକ ମଧ୍ୟ ୧୦ ତାରିଖରୁ ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ।
ଏସଆରସି କହିଛନ୍ତି କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅନଲାଇନ୍ କ୍ଲାସ୍ ଜାରି ରହିବ । କଲେଜ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନ୍, ଭର୍ଚୁଆଲ୍, ଭିଡିଓ, ଶିକ୍ଷଣ ମୋଡ଼୍ ର ଅନ୍ୟ ବିକଳ୍ପ ପଦ୍ଧତି ମାଧ୍ୟମରେ କ୍ଲାସ୍ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଷ୍ଟେଲରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ଗବେଷକ ଏବଂ ଛାତ୍ର, ଯେଉଁମାନେ ଗବେଷଣା, ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଚ୍ଛା କରନ୍ତି, ତେବେ ଅଣ୍ଡରଟେକିଂ ଦେଇ ରହିପାରିବେ । ସଂପୃକ୍ତ ବିଭାଗଗୁଡିକ ଏହି ପ୍ରସଙ୍ଗରେ ବିସ୍ତୃତ ଏସ୍ଓପି,ନିର୍ଦ୍ଦେଶାବଳୀ, ସର୍କୁଲାର ଆଣିବେ ।
ଅଫଲାଇନ୍ ରେ ଚାଲୁଥିବା ପରୀକ୍ଷାଗୁଡିକ ଜାରି ରହିବ । କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ । କର୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଅନଲାଇନ୍ କ୍ଲାସ୍, ଏକାଡେମିକ୍, ସେମି ଏକାଡେମିକ୍ ଏବଂ ପ୍ରଶାସନିକ କାର୍ଯ୍ୟ ଇତ୍ୟାଦି ଦାୟିତ୍ୱ ତୁଲାଇବେ । କୋଭିଡ-୧୯ କାରଣରୁ ଶିକ୍ଷାନୁୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ ।
ଏହା ବ୍ୟତୀତ ସମସ୍ତ କୋଚିଂ ସେଂଟରଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନଲାଇନ୍ ମାଧ୍ୟମରେ ପାଠ ପଢା ଚାଲିପାରିବ ।