-
୫ ଏକର ଜମିରେ ୧୮ କୋଟି ଟଙ୍କା ମୂଲ୍ୟରେ ନିର୍ମିତ,
-
ପ୍ରଥମେ ୪ଟି ଟ୍ରେଡରେ ପାଠପଢା ଆରମ୍ଭ ହେବ,
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ଅନୁଷ୍ଠାନ ଲୋକାର୍ପଣ ହୋଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ବର୍ତ୍ତମାନ ସମୟରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଅାବଶ୍ୟକୀୟ ତାଲିମର ଆବଶ୍ୟକତା ରହିଛି । ଶିଳ୍ପାୟନ ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିନିମନ୍ତେ ଦକ୍ଷତା ବିକାଶ ମାଧ୍ୟମରେ ଆବଶ୍ୟକୀୟ କୁଶଳୀ କାରିଗର ସୃଷ୍ଟି କରାଯାଉଛି । ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ପ୍ରଥମ ଶହେଟି ମଧ୍ୟରେ ରାଜ୍ୟର ୧୦ଟି ଆଇଟିଆଇ ରହିବା ଆନନ୍ଦର କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷ୍ଣପ୍ରସାଦସ୍ଥିତ ବିଜୁ ପଟ୍ଟନାୟକ ଆଇଟିଆଇ ନିମନ୍ତେ ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଉନ୍ନତ ମାନ ଶ୍ରେଣୀଗୃହ, ପାଠାଗାର, ୱାର୍କସପ, ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସ ବ୍ୟବସ୍ଥା ରହିଛି । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କୃଷ୍ଣପ୍ରସାଦ ବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।
ଚିଲିକା ଘେରା ବିଚ୍ଛିନ୍ନାଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅନୁଷ୍ଠାନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ପ୍ରାଥମିକ ଭାବେ ଇଲେକଟ୍ରିସିଆନ, ଇଲକୋଟ୍ରୋନିକ୍ସ ମେକାନିକ, ଫିଟର, ଡ୍ରେସ ମେକିଂ ଟ୍ରେଡରେ ଆବାସିକ ପାଠ୍ୟକ୍ରମ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳର ଗରିବ ମେଧାବୀ ପିଲାମାନେ ଉଭୟ ବୈଷୟିକ ଓ ବୃତ୍ତିଗତ ତାଲିମ ପାଇବାର ସୁଯୋଗ ମିଳିବ । ଏଠାରୁ ଉପଯୁକ୍ତ ତାଲିମ ପାଇ ଛାତ୍ରଛାତ୍ରୀ ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇବ । ସମସ୍ତଙ୍କ ସହଯୋଗ ରହିଲେ ଏହି ଅନୁଷ୍ଠାନ ଉନ୍ନତିର ଶିଖର ଛୁଇଁବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ୫-ଟି ସଚିବ ଶ୍ରୀ ଭି.କ. ପାଣ୍ତିଆନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉକ୍ତ ଅନୁଷ୍ଠାନର ପରିସରରେ ସବୁଜ ବନାନୀ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଶ୍ରୀ ରେଘୁଜି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଆଇଟିଆଇ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଶିଳ୍ପିତା ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, କୃଷ୍ଣପ୍ରସାଦ ବିଡିଓ ଶ୍ରୀ ମନୋଜ କୁମାର ନାୟକ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଶିବ ପ୍ରସାଦ ମଲ୍ଲିକ, ଶ୍ରୀ ଅଜୟ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।