ଭୁବନେଶ୍ୱର, ଆଜି ଗୁରୁବାର ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ, ଦୁରସଂଚାର ଏବଂ ସଂଚାର ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟର ଗ୍ରାମାଂଚଳରେ ୩୯୩୩ଟି ମୋବାଇଲ ଟାୱାର ଏବଂ ୨୦୭ଟି ନୂତନ ପୋଷ୍ଟ ଅଫିସର ଶୁଭ ଉଦଘାଟନ କରିବେ । ଏହା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଭିଡିଓ କନଫରେନସି ମାଧ୍ୟମରେ ଶୁଭାରମ୍ଭ କରିବେ ।ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୪୫୨/୧୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତମାନର ପ୍ରଚଳିତ କୋଚ ପରିବର୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (ଏଲଏଚବି) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି । ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ।
ମନ୍ତ୍ରୀ ପଦ୍ମନାଭ ବେହେରା , ଅଶୋକ ଚନ୍ଦ୍ର ପଣ୍ଡା; ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତା ୭ ତାରିଖ ଦିନ ସକାଳେ କଟକ ଚଣ୍ଡିମନ୍ଦିର ଯାଇ ମାଁଙ୍କୁ ଦର୍ଶନ କରିବା ପରେ କଟକଠାରେ ଏକ ନୂତନ ମୋବାଇଲ ହେଲ୍ଥ ୟୁନିଟର ଉଦଘାଟନ କାର୍ୟ୍ୟକ୍ରମରେ ଯୋଗଦେବେ । କଟକ ରେଳଷ୍ଟେସନର ପରିଦର୍ଶନ ଏବଂ ଦ୍ୱିତୀୟ ପ୍ରବେଶ ଦ୍ୱାରର ଶୁଭ ଉଦଘାଟନ କରିବେ । ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦ ଭର୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ । ପରେ ଶ୍ରୀ ବୈଷ୍ଣବ ବାଲେଶ୍ୱର ଗସ୍ତ କରିବେ । ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନ କୁ ବାଲେଶ୍ୱର ପର୍ୟ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ । କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବସ୍ତା ଗସ୍ତ କରି ରେଳଷ୍ଟେସନର ଉନ୍ନତୀକରଣ ଏବଂ ଭଦ୍ରକ-ଖଡଗପୁର ତୃତୀୟ ରେଳଲାଇନ କାର୍ୟ୍ୟର ତଦାରଖ କରିବେ । ଜଳେଶ୍ୱର ରେଳଷ୍ଟେସନର ନୂତନ ବିଲ୍ଡିଂ ଉଦଘାଟନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ୟ୍ୟକ୍ରମ ଅଛି ।