ବାଲେଶ୍ବର ସଦର ବ୍ଲକ ଗୋପୀନାଥ ପଞ୍ଚାୟତ ହସନପୁର ଆଶ୍ରମରେ ଉତ୍ତେଜନା । ଅନୈତିକ ସମ୍ପର୍କ ଅଭିଯୋଗରେ ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଘୋଷାଡି ନେଲେ ଗ୍ରାମବାସୀ । ସେପଟେ, ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ ।
ବାଲେଶ୍ବର: ସଦର ବ୍ଲକ ଗୋପୀନାଥ ପଞ୍ଚାୟତ ହସନପୁର ଆଶ୍ରମରେ ଅଭାବନୀୟ ଘଟଣା । ଅନୈତିକ ସମ୍ପର୍କ ଅଭିଯୋଗରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରଧାନଶିକ୍ଷକଙ୍କୁ ଘୋଷାଡି ଘୋଷାଡି ନେଲେ ଗ୍ରାମବାସୀ । ସେପଟେ, ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି ଦାବିରେ ସ୍କୁଲ ଛାତ୍ରଛାତ୍ରୀ ଧାରଣା ଦେବା ସହ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
ସୂଚନାଯୋଗ୍ୟ, ଉକ୍ତ ଆଶ୍ରମରେ 226ଜଣ ଆଦିବାସୀ ଛାତ୍ରଛାତ୍ରୀ ପଢୁଥିବାବେଳେ ସେମାନଙ୍କ ମଧ୍ୟରୁ 160 ଜଣ ଆଦିବାସୀ ଛାତ୍ରୀ ସ୍କୁଲରେ ରୁହନ୍ତି । ସେମାନଙ୍କ ରକ୍ଷଣାବେକ୍ଷଣା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । କିନ୍ତୁ ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଣ୍ଟଙ୍କ ଅନୈତିକ ସମ୍ପର୍କ ଥିବାର ଦୃଶ୍ୟ ଦେଖିବା ପରେ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଯାହାକୁ ନେଇ ଆଜି ସକାଳେ ଛାତ୍ରଛାତ୍ରୀ ନିଜର ଜିନିଷ ପତ୍ର ଧରି ସ୍କୁଲ ବାହାରେ ତାଲା ପକାଇବା ସହ ବଦଳି ଦାବିରେ ଧାରଣା ଦେଇଥିଲେ । ଯାହାର ଖବର ଗ୍ରାମବାସୀ ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଣ୍ଟଙ୍କୁ ଘୋଷାଡି ଘୋଷାଡି ନେଇଥିଲେ । ତେବେ, ଘଟଣାସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ, ଅନୈତିକ ସମ୍ପର୍କ ନାହିଁ ବୋଲି ପ୍ରଧାନଶିକ୍ଷକ ନିଜର ପ୍ରତିକ୍ରିୟା ଦେଇଥିବାବେଳେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାର 3 ଘଣ୍ଟା ପରେ ପୋଲିସ ସ୍କୁଲରେ ପହଞ୍ଚିଥିଲା ।