
-
ରୂପାଇଟାର ସୁରକ୍ଷା, ଓଜନ ଓ ସ୍ଥିତିକୁ ନେଇ ସନ୍ଦେହ
ପୁରୀ, ଏମାର ମଠରୁ ୨୦୧୧ ମସିହାରେ ୫୨୨ ଖଣ୍ଡ ରୂପା ଇଟା ଉଦ୍ଧାର ହୋଇଥିଲା । ଏହି ରୂପା ଇଟା ତଥ୍ୟକୁ ଲୁଚାଉଛି ପ୍ରଶାସନ । ଆଇନଜୀବି ଅନିଲ୍ କୁମାର ସାହୁ ମାଗିଥିବା ସୂଚନା ଅଧିକାର ତଥ୍ୟ ନଦେଇ ୨୦୧୧ ରୁ ଆଜି ପର୍ଯ୍ୟନ୍ତ ତଦନ୍ତ ଚାଲିଛି କହି ସିଂହଦ୍ୱାର ଥାନା ଚିଠି ମାଧ୍ୟମରେ ଉତ୍ତର ରଖିଛି ।
ତେଣୁ ଏଠି ପ୍ରଶ୍ନ ଉଠୁଛି ରୂପା ଇଟା କେତେ ସୁରକ୍ଷିତ ଅଛି । ଆଉ ଜବତ ହୋଇଥିବା ରୂପା ଇଟା କାହା ହେପାଜତରେ ଅଛି । କୋଉଠି ଅଛି ଯାହା ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି । ତେବେ ସମ୍ପ୍ରତି ଏହି ରୂପା ଇଟା କେତେ ସୁରକ୍ଷିତ ତାହା ଏବେ ବଡ ପ୍ରଶ୍ନ ?
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୧ ରେ ପୁରା ରାଜ୍ୟରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ପୁରୀର ଏହି ଏମାର ମଠ । କାରଣ ମଠରୁ ବାହାରିଥିଲା ୫୨୨ ଖଣ୍ଡ ରୂପାଇଟା । ଢେଙ୍କାନାଳର ଦୁଇ ଶ୍ରମିକ ରୂପା ଇଟା ବିକ୍ରୀ କରୁଥିବା ବେଳ ପୋଲିସ ତଦନ୍ତରୁ ଏହି ରହସ୍ୟ ପଦାକୁ ଆସିଥିଲା । ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏହି ଘଟଣା । କାରଣ ସେହି ସମୟରେ ଏହି ଇଟା ଗୁଡିକର ମୂଲ୍ୟ ପ୍ରାୟ ୯୨ କୋଟି ବୋଲି ଆକଳନ କରାଯାଇଥିଲା । ଏହି ଘଟଣାରେ ଅନେକଙ୍କୁ ଗିରଫ କରାଯିବା ସହ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । କିନ୍ତୁ ଆଶ୍ଚର୍ଯ୍ୟର କଥା, ଇତିମଧ୍ୟରେ ୧୦ ବର୍ଷ ବିତିଗଲାଣି । କିନ୍ତୁ, ଏହି ଘଟଣାର ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇନାହିଁ । ମଠରୁ ବାହାରିଥିବା ୫୨୨ ଖଣ୍ଡ ରୂପା ଇଟା ଏବେ କେଉଁଠି ଏବଂ କାହା ହେପାଜତରେ ଅଛି ତାହା ସବୁଠୁ ବଡ଼ ପ୍ରଶ୍ନ ? ଏବଂ ରୂପା ଇଟାର ଓଜନ ଓ ସ୍ଥିତି କିପରି ଅଛି ତାହା ଏବେ ସନ୍ଦେହର ବିଷୟ ବୋଲି ସହରରେ ଚର୍ଚ୍ଚା ହେଉଛି ।