
ଗଞ୍ଜାମ, ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ମେଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାରେ ୬୩୭ ଟି ଉଚ୍ଚ ବିଦ୍ୟାଳୟର ୪୮ ହଜାର ୨୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ବିଷୟର ୫୦ ମାର୍କ ବିଶିଷ୍ଟ କେବଳ ସଂକ୍ଷିପ୍ତ ପ୍ରଶ୍ନୋତର ପରୀକ୍ଷା ହେବ । ଏଥିପାଇଁ ୪ ସେଟ୍ ପ୍ରଶ୍ନପତ୍ରର ବ୍ୟବସ୍ଥା ହୋଇଛି । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଓଏମଆର ଉତର ସିଟ୍ ପ୍ରଦାନ କରାଯିବ । ପ୍ରତ୍ୟେକ ଦିନ ଦୁଇଟି ସିଟିଂରେ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରଶ୍ନପତ୍ର ଗୁଡିକ ନିର୍ଦ୍ଧାରିତ ଦିନ ସକାଳ ସାଢ଼େ ୬ଟା ଠାରୁ ସାଢ଼େ ୮ଟା ମଧ୍ୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନୋଡ଼ାଲ ସେଂଟରରୁ ଯାଇ ପରୀକ୍ଷା କେନ୍ଦ୍ରରେ ପହଂଚିବ । ପରୀକ୍ଷା ଶେଷ ହେବା ପରେ ଉତର ଖାତା ଗୁଡିକୁ ସଂଗ୍ରହ କରାଯାଇ ପୁଣି ନୋଡ଼ାଲ ସେଂଟରକୁ ଆସିବ । ଏଥିପାଇଁ ଜିଲ୍ଲାରେ ୫୧ ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନର ସହାୟତା ନିଆଯାଇଛି । ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୧୦ଟା ଠାରୁ ୧୧ଟା ଏବଂ ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଘଂଟାଏ ଲେଖାଏଁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । କେବଳ ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ଜଣାପଡିଛି ।