
ଭୁବନେଶ୍ୱର, ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତି ନେଇଛି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି, ଲିଜ୍ ଓ ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ସରକାରଙ୍କର ପୂର୍ବ ଅନୁମୋଦନ ଦରକାର ପଡୁଥିଲା । କିନ୍ତୁ ଏହି ଅଧ୍ୟାଦେଶ ବଳରେ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ ବୋଲି ବୈଠକ ପରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଏହି ନିଷ୍ପତି ପରେ ଏଣିକି ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟି, ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଶ୍ରୀଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧୀନରେ ଅନେକ ସ୍ଥାବର ଓ ଜମିବାଡିର ମାଲିକାନା ସତ୍ୱ ରହିଛି । ଏଥିରେ ପରିବର୍ତନ ସହ ସଂପୃକ୍ତ ମାମଲାଗୁଡିକର ତୁରନ୍ତ ଫଇସଲା ଓ କଟକଣାକୁ ପ୍ରତିହତ କରିବ ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ସଂପନ୍ନ କରିବାକୁ ସରକାର ଏହି ନିଷ୍ପତି ନେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଏହି ପ୍ରୋସେସକୁ ଡିସେଂଟ୍ରାଲାଇଜ କରାଯିବ । ଟେମ୍ପୁଲ ମ୍ୟାନେଜିଂ କମିଟିକୁ ଏନେଇ ଦାୟିତ୍ୱ ଦିଆଯିବ । ବିଭିନ୍ନ ଲେବୁଲରେ ବିଭିନ୍ନ ପ୍ରକାର ଜମିକୁ ସେଟଲ୍ କରାଯାଇପାରିବ । ମହାପ୍ରଭୁଙ୍କ ଜମିରେ ଯେଉଁମାନେ ୪୦ରୁ ୫୦ ବର୍ଷ ହେବ ଲୋକେ ବସବାସ କରୁଛନ୍ତି, ସେମାନଙ୍କର ବହୁ ଦିନର ସମସ୍ୟା ସମାଧାନ ହୋଇଯିବ । ମନ୍ଦିର ପ୍ରଶାସନ ସେହି ଜମିରୁ କିଛି ଅର୍ଥ ପାଉନାହିଁ । ସେହି ଜମିଗୁଡ଼ିକ ବିକ୍ରି କରାଯାଇ ମନ୍ଦିର କାର୍ଯ୍ୟରେ ଲଗାଯିବ ।