
ଭୁବନେଶ୍ୱର, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ୟାବିନେଟର ସୁପାରିଶ ଅନୁସାରେ ୨୦୧୨ ମସିହା ପରଠାରୁ ସରକାରୀ ତ୍ରୁଟି ପାଇଁ ଜଟଣୀ, ଖୋର୍ଦ୍ଧା, ସାକ୍ଷୀଗୋପାଳ ପ୍ରଭୃତି ଅଂଚଳରେ ସାଧାରଣ ଲୋକଙ୍କର ଜମିବାଡ଼ି ଘରଡିହ ଭୁଲବଶତଃ ଜଗନ୍ନାଥଙ୍କ ନାମରେ ସତ୍ୱ ପରିବର୍ତିତ ହୋଇଥିବା ଆଇନକୁ ପୁନଃ ସଂଶୋଧନ କରାଯାଇଛି । ସରକାରଙ୍କର ଏହି ନିଷ୍ପତି ଫଳରେ ଦୀର୍ଘ ୧୦ବର୍ଷ ଧରି ଯନ୍ତ୍ରଣା ଭୋଗୁଥିବା ଏହି ଅଂଚଳର କ୍ଷତିଗ୍ରସ୍ତ ଲୋକଙ୍କ ନାମକୁ ନିଜର ଜମିବାଡ଼ି ପୁଣି ଫେରିଆସିବ । ଏଥିପାଇଁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସଚନ ସଚିବ, ୫ଟି ସଚିବ, ପୂର୍ବତନ ରେଭିନ୍ୟୁ ସଚିବ ବିଷ୍ଣୁପଦ ସେଠୀ, ଉନ୍ନୟନ କମିଶନର, ଆଇନ ସଚିବ, ଆଡଭୋକେଟ ଜେନେରାଲ, ରାଜସ୍ୱମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଜଟଣୀବାସୀ ତଥା କ୍ଷତିଗ୍ରସ୍ତ ପ୍ରଜାମଂଚ ପକ୍ଷରୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।
ଦୀର୍ଘ ୧୦ବର୍ଷ ଧରି ଜଟଣୀ ମୁନିସିପାଲଟି ଏବଂ ଏହାର ଆଖପାଖ ୨୩ଟି ଗ୍ରାମର ସାଧାରଣ ଲୋକ ନିଜର ଜମି ଖର୍ଦି ବା ବିକ୍ରି କରିପାରୁନଥିଲେ । ସେହି ଜମିରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ପ୍ରଭୃତି କୌଣସି ସରକାରୀ ଆବାସ ଯୋଜନା ହୋଇପାରୁନଥିଲା । ମଶାଣି, ଖେଳପଡ଼ିଆ, ସ୍କୁଲଘର, ମେଲଣପଡ଼ିଆ, କମ୍ୟୁନିଟି ସେଂଟର ପ୍ରଭୃତିର ଉନ୍ନତି ପାଇଁ ସରକାରୀ ଅର୍ଥ ବିନିଯୋଗ ହୋଇପାରୁନଥିଲା । ଲୋକମାନେ ବିବାହ, ବ୍ରତ, ଶୁଦ୍ଧିକ୍ରୀୟ ଓ ଚିକିତ୍ସା କ୍ଷେତ୍ରରେ ଅର୍ଥପାଇଁ ନିଜର ଜମି ବିକିପାରୁନଥିଲେ । ଏହି ନିଷ୍ପତି ଫଳରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ରାଉତରାୟ ଏବଂ ଜଟଣୀ ଏକରାଜତ ମହଲ କ୍ଷତିଗ୍ରସ୍ତ ପ୍ରଜାମଂଚ ପକ୍ଷରୁ ଦୀର୍ଘ ୧୦ବର୍ଷ ଧରି ଏହି ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ, ଧାରଣା,ସଭା, ରାସ୍ତାରୋକ ପ୍ରଭୃତି କାର୍ଯ୍ୟ ଚାଲିଆସୁଥିଲା ।