
-
୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ
-
ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୧୦ଟି ।
-
ବିଶ୍ୱ ନିଯୁକ୍ତି ବଜାରରେ ଓଡିଶାର ଦକ୍ଷ ଯୁବକଯୁବତୀ ମାନଙ୍କର ଚାହିଦା ବଢ଼ିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫେରେନ୍ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍ ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍ସ ମେକାନିକ୍ ଓ ଡ୍ରେସ ମେକିଂ ପରି ୪ଟି ଟ୍ରେଡ୍ ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ବର୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଆଉ ଅଧିକ ଟ୍ରେଡରେ ତାଲିମ ଦେବାର ବ୍ୟବସ୍ଥା କରାଯିବ । ଏଥିରେ ଆଧୁନିକ ଲାବୋରେଟୋରୀ, ୱାର୍କସପ୍, ହଷ୍ଟେଲ ଆଦି ସମସ୍ତ ସୁବିଧା କରାଯାଇଛି ।
ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବକଯୁବତୀଙ୍କର ଆବଶ୍ୟକତା ମଧ୍ୟ ରହିଛି । ଓଡିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍ ଇନ୍ ଓଡିଶା କାର୍ଯ୍ୟକ୍ରମକୁ ମିଶନ ମୋଡ୍ ରେ କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ବିଶ୍ୱ ନିଯୁକ୍ତି ବଜାରରେ ଓଡିଶାର ପିଲାମାନଙ୍କର ଚାହିଦା ସବୁଠାରୁ ଅଧିକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଓଡିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ଶହେଟି ମଧ୍ୟରେ ଓଡିଶାର ୧୦ଟି ଆଇଟିଆଇ ସ୍ଥାନ ପାଇଛନ୍ତି । ଏହା ଏକ ଗୌରବର କଥା । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡିଶାର ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗୀତାରେ ଉନ୍ନତ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଆଣୁଛନ୍ତି । ଆଗାମୀ ଦିନରେ ମଧ୍ୟ ଓଡିଶାର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା କହିଲେ ଯେ କୃଷ୍ଣପ୍ରସାଦ ଅଂଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ଟି ପଂଚାୟତର ଏକ ଦୁର୍ଗମ ଅଂଚଳ । ମୁଖ୍ୟମନ୍ତ୍ରୀ ଏହି ଅଂଚଳର ବିକାଶ ପାଇଁ ଅନେକ ପଦକ୍ଷେପନ ନେଇଛନ୍ତି । ଆଜି ଆଇଟିଆଇ ସ୍ଥାପନ ଦ୍ୱାରା ଏହି ଅଂଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଏହାଦ୍ୱାରା ସ୍ଥାନୀୟ ଅଂଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ବୋଲି ସେ ମତ ଦେଇଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ ଯେ ରାଜ୍ୟରେ ଗ୍ରୀନ କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଆଇଟିଆଇ କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ ଭାଷଣ ଦେଇଥିଲେ । ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।