ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ଜିଲ୍ଲାର ସର୍ବ ପୁରାତନ ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ପାଇଁ ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଭିତ୍ତିଭୂମି ଉନ୍ନୟନ ପାଇଁ ଅନୁଦାନ ମଞ୍ଜୁର କରିଥିବାରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଟୁରିଷ୍ଟ ଅଫିସର ରବୀନ୍ଦ୍ର କୁମାର ଦଳାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯୋଗିନୀପିଠ ରାଣୀପୁର ଝରିଆଲରେ ପହଞ୍ଚିଥିଲେ । ଏଥିପାଇଁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନି, ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା, ବ୍ଲକ ଏସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ପ୍ରସାଦ ସିହ୍ନା, ଟୁରିଷ୍ଟ ଅଫିସ ର କିରାଣୀ ନିଳାଞ୍ଚଳ ଦୀପ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ତେବେ ବର୍ତ୍ତମାନ ରାଣୀପୁର ଝରିଆଲ ମନ୍ଦିର ସମୁହ ଆର୍କିଓଲୋଜି ଅଫ ଇଣ୍ଡିଆ ବିଭାଗ ଅଧିନକୁ ଯାଇଥିବାରୁ ଓଡିଶା ଟୁରିଜିମ ଅଧିନରେ ଥିବା ଜମି ଉପରେ ହିଁ ଭିତ୍ତିଭୂମି ଉନ୍ନୟନ କରାଯିବା ପାଇଁ ଆଲୋଚନା ହୋଇଥିଲା । ଯାହା ଫଲରେ ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ ଆରାମରେ ହୋଇପାରିବ ବୋଲି ସମାଜସେବୀ ଅନିଲ କୁମାର ତ୍ରିପାଠୀ ମତ ରଖିଥିଲେ ।
ପ୍ରକାଶ ଥାଉକି, ୨୦୧୯ ଜାନୁଆରୀ ୧୫ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସିଥିବା ସମୟରେ ଏହି ପିଠର ବିକାଶ ପାଇଁ ଘୋଷଣା କରିଥିଲେ । ତେବେ ଅଦ୍ୟାବଧି କେବଳ ୪ ଟି ଚେୟାର, ସୋମେଶ୍ବର ମହାଦେବ ମନ୍ଦିରରେ ଏକ କେମିକାଲ ପ୍ରଲେପ, ବିନା ବିଦ୍ୟୁତ କନେକ୍ସନ ହୋଇଥିବା ଲାଇଟ ବ୍ୟବସ୍ଥା ଛଡା ଆଉ କିଛି କାମ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଅନୁଦାନରେ ହୋଇନାହିଁ । ଏପଟେ ସିନ୍ଧେକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିଥିବା ସମୟରେ ରାଜ୍ୟ ସରକାରଙ୍କ ଫୋକସରେ ରାଣୀପୁର ଝରିଆଲ ଥିବା ମନ୍ତ୍ରୀ ସୁଶାନ୍ତ ସିଂହ ଗଣମାଧ୍ୟମକୁ କହିଥିଲେ । ପରେ ୨୨ ସେପ୍ଟେମ୍ବର ୨୦୨୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଗସ୍ତ ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପିଠର ବିକାଶ ପାଇଁ ମଞ୍ଚ ଉପରେ ନିଜ ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ଯୋଗୁଁ ଏହି ଟଙ୍କାର ସୁବିନିଯୋଗ କେମିତି ହୋଇପାରିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟିର ସଭାପତି ମାଣିକ ଚନ୍ଦ ଜୈନ, ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଉପେନ୍ଦ୍ର ମେହେର, ଝରିଆଲ ସରପଞ୍ଚଙ୍କ ପ୍ରତିନିଧି ଗୋପୀନାଥ ସାହୁ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ସନ୍ୟାସୀ ଭୋଇ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।