
ସାଲେପୁର,ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚଳିତ ଖରିଫ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଗତ ‘ଜୱାଦ୍’ ବାତ୍ୟା ପ୍ରଭାବରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ଫଳରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଖରିଫ ଧାନ ଚାଷ ହୋଇଥିବା ସମସ୍ତ ଖାଲୁଆ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅଳ୍ପ ଖାଲୁଆ ଓ ଢିପ ଚାଷ ଜମି ଗୁଡିକରେ ମଧ୍ୟ ଧାନ ଫସଲ ହାନୀ ହୋଇଥିଲା । ବର୍ଷା ଛାଡିବାର ପରେ ପରେ ଚାଷୀମାନେ ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଯାହା କିଛି ବିଲରେ ଧାନ ଥିଲା ତାକୁ କାଟି ଅମଳ କରିବା ପାଇଁ ଲାଗିପଡିଥିଲେ । ଏବେ କ୍ଷେତରେ ଧାନ ଗୁଡିକ କଟାହୋଇ ପଡିଥିବା ବେଳେ ପୁଣି ଅଦିନିଆ ପ୍ରବଳ ବର୍ଷା ଯୋଗୁ କଟାଯାଇଥିବା ଧାନ ବିଲ ଗୁଡିକରେ ଚାଖଣ୍ଡେରୁ ଉର୍ଦ୍ଧ୍ବ ଉଚ୍ଚର ପାଣି ଛିଡା ହୋଇ ରହିଛି । ଯାହାଫଳରେ ଜୱାଦରୁ ବର୍ତ୍ତି ଯାଇଥିବା ଧାନ ଫସଲ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସମଗ୍ର ୪୧ ଗୋଟି ପଂଚାୟତରେ ।
ଚାଷୀମାନଙ୍କ କହିବା ଅନୁଯାୟୀ, ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ଓ ଧାର ଉଦ୍ଧାର କରି ଚାଷ କରିଥିଲେ । ଜୱାଦ ପରେ ବି ଆଶା ଥିଲା ଯେ ସେମାନେ କିଛି ବି ଧାନ ଅମଳ କରି ଋଣ ପରିଶୋଧ କରିପାରିବେ, ମାତ୍ର ପୁଣି ଦଇବ ଦାଉ ସାଜିଲା । ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ଧାନ ଫସଲ ନଷ୍ଟ ହୋଇଯିବାରୁ ତୁରନ୍ତ ନିଶ୍ଚିନ୍ତକୋଇଲି ବ୍ଲକ କୃଷି ବିଭାଗ ତରଫରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳକୁ ବିଭାଗୀୟ କର୍ମଚାରୀମାନଙ୍କୁ ପଠାଇ କ୍ଷୟକ୍ଷତିର ସଠିକ୍ ଆକଳନ କରି ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି । ଉଭୟ ବ୍ଲକର କୃଷି ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରିବା ସହ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ଗ୍ରାମପଂଚାୟତ ଗୁଡିକର ଖରିଫ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଘୋଷଣା କରି ଚାଷୀମାନଙ୍କୁ ଏକର ପ୍ରତି ସର୍ବନିମ୍ନ ୨୦ ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ କରିବା ସହ ଚାଷୀମାନଙ୍କର ଜଳକର ସମ୍ପୂର୍ଣ୍ଣ ଛାଡ କରିବା ଓ ଚାଷୀମାନେ କରିଥିବା ବିଭିନ୍ନ ଋଣକୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଭାରତୀୟ କିସାନ ସଂଘ ନିଶ୍ଚିନ୍ତକୋଇଲି ଖଣ୍ଡ ପ୍ରମୁଖ ପ୍ରଫୁଲ୍ଲ କୁମାର ମହାପାତ୍ର, ସଂପାଦକ ସନ୍ତୋଷ କୁମାର ସ୍ୱାଇଁ, କଟକ ଜିଲ୍ଲା ସଂଯୋଜକ ଓମ୍ ଜୟ ଜଗନ୍ନାଥ ଜୟ ଶ୍ରୀରାମଙ୍କ ସମେତ ଯୁବ ଚାଷୀ ରଂଜନ ଦାସ, କ୍ଷୀରୋଦ ପରିଡା ପ୍ରମୁଖ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି ।